ହସି ହସି ଶେଷ କରିଦେଲେ ନିଜ ଜୀବନ, ଆତ୍ମହତ୍ୟା ପୂର୍ବରୁ ନଦୀ ବ୍ରିଜ୍‌ ଉପରେ ବନାଇଲେ ଭିଡିଓ

ଗୁଜରାଟର ଅହମ୍ମଦାବାଦରେ ଜଣେ ବିବାହିତା ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକି ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି, ‘ଯେତିକି ବି ଜୀବନ ବଞ୍ଚିଲି, ଶାନ୍ତି ଲାଗିଲା। ଏବେ ମୁଁ ଭଗବାନଙ୍କ ସହ ମିଶିବାକୁ ଚାହୁଁଛି’। ତେବେ ଏ ନେଇ ଖବର ପାଇବା ପରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତାଙ୍କ ନାଁ ଆୟେଶା ବୋଲି ଜଣାପଡ଼ିଛି।

ଭିଡିଓରେ ସେ କହୁଛନ୍ତି କି, ‘ହ୍ୟାଲୋ, ମୋ ନାଁ ଆୟେଶା ଆରିଫ୍‌ ଖାନ୍‌। ମୁଁ ଯାହା କିଛି ବି କରିବାକୁ ଯାଉଛି, ମୋ ଇଚ୍ଛାରେ କରିବାକୁ ଯାଉଛି। ଏଥିରେ କାହାର ଚାପ ନାହିଁ। ଭାବି ନିଅନ୍ତୁ କି, ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଜୀବନ ଏତିକି ହିଁ ଥିଲା ଏବଂ ମୋତେ ଏତିକି ଜୀବନରେ ବହୁତ ଶାନ୍ତି ମିଳିଲା। ଆଉ ଡାଡି, କେତେ ଦିନ ପର୍ଯ୍ୟନ୍ତ ଆପଣ ଲଢ଼ିବେ? କେସ୍‌ ଉଠାଇ ନିଅନ୍ତୁ’।

ଆୟେଶା ଆହୁରି କହୁଛନ୍ତି, ‘ପ୍ରେମ କରିବାର ଅଛି, ତ ଉଭୟ ପଟୁ କରନ୍ତୁ। କାରଣ, ଏକ ତରଫାରେ କିଛି ହାସଲ ହୋଇପାରେ ନାହିଁ। ପ୍ରେମ ତ ବିବାହ ପରେ ଅଧୁରା ରହିଯାଏ। ଏ ସୁନ୍ଦର ନଦୀ, ପ୍ରାର୍ଥନା କରୁଛି କି, ମୋତେ ନିଜ ଦେହରେ ମିଶାଇ ଦେ ଏବଂ ମୋ ପଛପଟେ ଯିଏ ବି ଥାଉ, ଦୟାକରି ଅଧିକ ସମସ୍ୟା ସୃଷ୍ଟି କରିବନି’।

‘ମୁଁ ପବନ ଭଳି, ବାସ୍‌ ବହି ଚାଲିବାକୁ ଚାହୁଁଛି। କାହା ପାଇଁ ଅଟକନ୍ତୁ ନାହିଁ। ମୁଁ ଖୁସି ଅଛି କି, ଆଜିର ଦିନରେ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଦରକାର ଥିଲା, ତାହା ମିଳିଗଲା ଏବଂ ମୋତେ ଯାହାକୁ ଯାହା କହିବାର ଥିଲା, କହି ସାରିଛି। ଧନ୍ୟବାଦ, ମୋତେ ପ୍ରାର୍ଥନାରେ ମନେ ରଖିବେ। ଜଣାନାହିଁ, ସ୍ୱର୍ଗପ୍ରାପ୍ତି ହେବ କି ନାହିଁ। ଚାଲ, ଅଲ୍‌ବିଦା’।

ତେବେ ଖବରରୁ ଜଣାପଡ଼ିଛି, ଅହମ୍ମଦାବାଦରେ ରହୁଥିବା ଆୟେଶା ପେସାରେ ଟେଲରିଂ କାମ କରୁଥିଲେ। ତାଙ୍କ ବାପା ଲିୟାକତ ଅଲ୍ଲୀ କହିଛନ୍ତି ଯେ ୨୦୧୮ରେ ଆୟେଶାଙ୍କ ବିବାହ ରାଜସ୍ଥାନର ଆରିଫ୍‌ ଖାନ୍‌ଙ୍କ ସହିତ ହୋଇଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ତାଙ୍କ ଝିଅକୁ ଯୌତୁକ ପାଇଁ ପ୍ରତାଡ଼ିତ କରାଯାଉଥିଲା। ଟଙ୍କା ଦିଆଯିବା ପରେ ଆରିଫ୍‌ଙ୍କ ପରିବାର ଲୋକଙ୍କ ଲାଳସା ବଢ଼ିଯାଇଥିଲା। କିଛି ମାସ ତଳେ ଆରିଫ୍‌ ଆୟେଶାଙ୍କୁ ଅହମ୍ମଦାବାଦରେ ଛାଡ଼ି ଚାଲି ଯାଇଥିଲେ। ସେ ଆୟେଶାଙ୍କ ସହ ଫୋନ୍‌ରେ କଥା ବି ହେଉ ନ ଥିଲେ। କିଛିଦିନ ତଳେ ଆୟେଶା ରାଗରେ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। କିନ୍ତୁ ଏହା ଶୁଣି ଆରିଫ୍‌ କହିଥିଲେ ଯେ ମରିବାର ଅଛି ଯଦି ଯାଇ କି ମରି ଯା।