ଅଝଟିଆ ପୁଅ: ମିଳିଲାନି ଜାଗୁଆର କାର, କଲେ ଏଭଳି କାଣ୍ଡ

ପିଲାମାନେ ନିଜ ପିତାମାତାଙ୍କ ପାଖରେ କିଛି ବି ଜିନିଷ ପାଇଁ ଅଳି କରିଥାନ୍ତି। ଯେକୌଣସି ପରିସ୍ଥିତିରେ ବାପା ମା ଏହାକୁ ପ୍ରାୟତଃ ପୂରଣ କରିବାକୁ ଚେଷ୍ଟା ମଧ୍ୟ କରନ୍ତି। ଏପାଇଁ ଆମ୍ଭେମାନେ ସେମାନଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବା ଉଚିତ। କିନ୍ତୁ ଅନେକ ପିଲା ମନ ମୁତାବକ ଜିନିଷ ନ ମିଳିଲେ, ସେମାନେ ରାଗରେ ଅନେକ କାଣ୍ଡ ଘଟାନ୍ତି। ହରିଆନାରେ ଏପରି ଏକ ଘଟଣା ଘଟିଛି ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

ହରିଆନାର ଯମୁନାନଗରରେ ଜଣେ ରହୁଥିବା ଜଣେ ବ୍ୟକ୍ତି ନିଜ ପିତାମାତାଙ୍କୁ ଜାଗୁଆର କାର ଗିଫ୍ଟ ମାଗିଥିଲେ। ଯୁବକଙ୍କୁ ତାଙ୍କ ବାପା ମା ଜାଗୁଆର କାର ବଦଳରେ BMW କାର କିଣି ଗିଫ୍ଟ ଦେଇଥିଲେ। କିନ୍ତୁ ଉକ୍ତ ଯୁବକ ଜଣକ ରାଗରେ ସେହି BMW କାରକୁ ନଦୀ ମଧ୍ୟକୁ ଠେଲି ଦେଇଛନ୍ତି। କାରକୁ ନଦୀକୁ ଠେଲିଲା ବେଳେ ଯୁବକ ଏକ ଭିଡିଓ ମଧ୍ୟ କରିଛନ୍ତି। ଉକ୍ତ ଭିଡିଓରେ ଯୁବକ ଜଣକ କାରକୁ କିପରି ନଦୀକୁ ଠେଲୁଛନ୍ତି, ତାହା ଦେଖାଯାଉଛି। କିନ୍ତୁ ଯୁବକ ଜଣକ ନଦୀରେ କାରକୁ ଠେଲିବା ପରେ କାରଟି ନଦୀରେ ଥିବା ଏକ ବଡ ଘାସଥିବା ସ୍ଥାନରେ ଅଟକି ରହିଥିଲା। ପରେ ଉକ୍ତ ଯୁବକ ସ୍ଥାନୀୟ ଯୁବକଙ୍କ ସହିତ ମିଶି କାରକୁ ନଦୀରୁ କାଢୁଥିବା ମଧ୍ୟ ସେହି ଭିଡିଓରେ ଦେଖିବାକୁ ମିଳିଛି।

ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଛି। ଉକ୍ତ ଭିଡିଓରେ BMW କାରଟି ସିରିଜ ୩ କିମ୍ବା ସିରିଜ ୫ ପରି ନଜର ଆସୁଛି, ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୩୫ ଲକ୍ଷ ହେବ। ସୂଚନାଯୋଗ୍ୟ, ଉକ୍ତ ଯୁବକଙ୍କ ପିତା ହରିଆନାର ଏକ ଗ୍ରାମର ଜଣେ ଜମିଦାର ଅଟନ୍ତି।