ପତ୍ନୀଙ୍କ ସହ ଝଗଡ଼ା କରିବା ପରେ ପତି ରାଗରେ ଚାଲିଲେ ୪୫୦ କି.ମି, କହିଲେ ରାଗରେ ଜଣାପଡ଼ିଲା ନାହିଁ

ଝଗଡ଼ା ସମସ୍ତଙ୍କ ଘରେ ଅଛି । କୁହାଯାଏ ପତି -ପତ୍ନୀଙ୍କ ଝଗଡ଼ା ରାତିକ ପାଇଁ । ଅର୍ଥାତ୍‌ ରାତି କଟିଗଲେ ପତି-ପତ୍ନୀଙ୍କ ଝଗଡ଼ା ବି ସରିଯାଇଥାଏ । ହେଲେ ଏମିତି ଏକ ଘଟଣା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ପତି-ପତ୍ନୀଙ୍କର ସାମାନ୍ୟ ଝଗଡ଼ାକୁ ନେଇ ପତି ଜଣକ ରାଗରେ ଚାଲି ଚାଲି ୪୫୦ କିଲୋମିଟର ଚାଲିଯାଇଥିଲେ । ତାଙ୍କର ରାଗ ଶାନ୍ତ ହେଲା ବେଳକୁ ସେ ୪୫୦ କିମି ଦୂରରେ ଥିବା ବେଳେ ଏହା ଭିତରେ ପ୍ରାୟ ୭ ଦିନ କଟିଯାଇଥିବା ଜାଣିବାକୁ ପାଇଥିଲେ ।

ଏହି ଘଟଣା ଘଟିଛି ଇଟାଲିର କୋମୋ ସହରରେ । ବ୍ୟକ୍ତି ଜଣକ ପତ୍ନୀ ଉପରେ ରାଗି କରି ଚାଲି ଚାଲି ୪୫୦ କିମି ଦୂର ଏଡ୍ରିଏଟିକ ତଟରେ ପହଞ୍ଚିଥିଲେ । ତେବେ ରାତିରେ ଚାଲିବା ଅବସ୍ଥାରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏବଂ ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ତାଙ୍କ ଉପରେ ପ୍ରାୟ ୩୫,୭୦୦ ଟଙ୍କା ଜରିମାନା ଲଗାଇଥିଲା । ଗିରଫ ପରେ ତାଙ୍କର ଆଇଡିରୁ ଜାଣିବାକୁ ପାଇଲା ଯେ ସେ କୋମୋ ସହରରୁ ଆସିଛନ୍ତି ବୋଲି ।

ଫଳରେ ନିକଟତମ ପୋଲିସ ଷ୍ଟେସନ୍‌ରୁ ଅନୁସନ୍ଧାନ କଲା ପରେ ଜାଣିବାକୁ ପାଇଥିଲେ ଯେ ଜଣେ ପତ୍ନୀ ତାଙ୍କ ପତିଙ୍କ ନିରୁଦ୍ଦିଷ୍ଟ ରିପୋର୍ଟ ୭ ଦିନ ତଳେ ଦାଖଲ କରିଥିଲେ । ଖବର ପାଇବା ପରେ ପତ୍ନୀ ଅବୁଝା ପତିଙ୍କୁ ନେବା ପାଇଁ କୋମୋରେ ପହଞ୍ଚିଛନ୍ତି । ଏହି ଖବର ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶଯୋଗ୍ୟ ଯେ ଇଟାଲିରେ କରୋନାର ଦ୍ୱିତୀୟ ସଂକ୍ରମଣ ଚାଲିଛି । ସେଥିପାଇଁ ସାରା ଦେଶରେ ଏବେ ରାତି ୧୦ରୁ ସକାଳ ୫ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି । ଯେଉଁଥିପାଇଁ ପୋଲିସ ରାତିରେ ଚାଲୁଥିବା କାରଣରୁ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା ।

Leave A Reply

Your email address will not be published.