‘ପୁଷ୍ପା’ ଫିଲ୍ମ ଭଳି ରକ୍ତ ଚନ୍ଦନ ତସ୍କରୀ କରୁଥିବା ବେଳେ ମାଡ଼ି ବସିଲା ପୋଲିସ, ୫୫ କାଠୁରିଆଙ୍କ ସହ ୩ ତସ୍କର ଗିରଫ
ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସ୍ରେ ମୋଟା ଅଙ୍କର ରୋଜଗାର କରିଛି। ଏହି ଫିଲ୍ମରୁ ଲୋକମାନେ ଆଉ କିଛି ଶିଖନ୍ତୁ କି ନ ଶିଖନ୍ତୁ, ଚୋରି କିନ୍ତୁ ଶିଖି ଯାଇଛନ୍ତି। ଆଉ ମନେ ମନେ ନିଜକୁ ଭାବି ନେଇଛନ୍ତି ପୁଷ୍ପରାଜ୍। ତେବେ ମନେ ମନେ ନିଜକୁ ହିରୋ ଭାବି ରକ୍ତ ଚନ୍ଦନ ଚୋରାଉଥିବା ଏକ ଗ୍ୟାଙ୍ଗ୍କୁ ମାଡ଼ି ବସିଛି ପୋଲିସ। ଚନ୍ଦନ କାଠ ଚୋରାଇବା ଅଭିଯୋଗରେ ପୋଲିସ ୫୫ ଶ୍ରମିକଙ୍କ ସମେତ ୩ ତସ୍କରଙ୍କୁ ଗିରଫ କରିଛି। ନେଲ୍ଲୋର ପୋଲିସକୁ ମିଳିଛି ଏହି ସଫଳତା। ଆନ୍ଧ୍ର ପ୍ରଦେଶ ପୋଲିସ ଏହି ତସ୍କରଙ୍କୁ ରାପୁର ଜଙ୍ଗଲରୁ ଧରିବାରେ ସଫଳ ହୋଇଛି।
ରିପୋର୍ଟ ମୁତାବକ, ପୋଲିସ ଏହି କାଠୁରିଆ ଓ ତସ୍କରଙ୍କୁ ଧରିବା ପାଇଁ ଚେଷ୍ଟା କରିବା ପରେ ସେମାନେ ତାଙ୍କୁ ପଥର ଫିଙ୍ଗିବା ସହ କୁରାଢ଼ୀରେ ଆକ୍ରମଣ କରିଥିଲେ। ସେମାନେ ଗାଡ଼ି ନେଇ ଫେରାର ହେବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ ଟିମ୍ ସତର୍କତାର ସହ ସେମାନଙ୍କୁ ସାମ୍ନା କରି ୫୫ ଶ୍ରମିକ ଓ ୩ ଚୋରଙ୍କୁ ଧରିବାରେ ସମର୍ଥ ହୋଇଛି।
ନେଲ୍ଲୋରର ଏସ୍ପି ଚୌ.ବିଜୟା ରାଓଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ବେଲୋ ଦାମୁ ଚିତ୍ତୁର ଜିଲ୍ଲାର ବିବିପୁରମ୍ର ଆରେ ଗାଁର ବାସିନ୍ଦା। ସେ ପୁଡ଼ୁଚେରୀର କୁପ୍ପନ୍ନା ସୁବ୍ରମଣ୍ୟମ୍ ସହ ଯୋଗାଯୋଗରେ ଥିଲା। ଏହି କାଠ ଚୋର ଜାନୁଆରୀ ୨୦ରେ କାଠୁରିଆଙ୍କ ସହ ନେଲ୍ଲୋର ଜିଲ୍ଲାର ଗୁଡ଼ୁର ପହଞ୍ଚିଥିଲେ ଓ ରାପୁରର ଜଙ୍ଗଲର ରକ୍ତ ଚନ୍ଦନର ଗଛ କାଟିଥିଲେ। ୨୧ ତାରିଖ ରାତିରେ ସେମାନେ ଏହି କାଠକୁ ଟ୍ରକରେ ଭରି ତାମିଲନାଡ଼ୁ ଫେରିଥିଲେ।
ଏ ନେଇ ପୋଲିସକୁ ଖବର ମିଳିବା ପରେ ସେମାନେ ରାସ୍ତାଗୁଡ଼ିକୁ ନାକାବନ୍ଦୀ କରିବା ସହ ସବୁ ଗାଡ଼ିର ଯାଞ୍ଚ ଆରମ୍ଭ କରିଥିଲେ। ଶନିବାର ଅପରାହ୍ନରେ ସେମାନେ ରାଜପଥରେ ୨ଟି ଗାଡ଼ି ସ୍ପିଡ୍ରେ ଯାଉଥିବା ଦେଖିଥିଲେ। ପୋଲିସ ଏହି ଗାଡ଼ିକୁ ପିଛା କରିବା ପରେ ସେମାନେ ପୋଲିସକୁ ଆକ୍ରମଣ କରିଥିଲେ। ପରେ ପୋଲିସ ଟିମ୍ ଗାଡ଼ିକୁ ଘେରିଯାଇ ସମସ୍ତଙ୍କୁ ଧରିଥିଲେ। ଏହି ଟ୍ରକରୁ ପୋଲିସ ୪୫ଟି ରକ୍ତ ଚନ୍ଦନ କାଠ, ୨୪ କୁରାଢ଼ୀ, ୩୧ ମୋବାଇଲ, ଏକ ଟୟୋଟା କାର ଓ ନଗଦ ୭୫,୨୩୦ ଟଙ୍କା ଜବତ କରିଛି।