ଆସୁଛି ବଡ଼ ବିପଦ, ଆସନ୍ତାକାଲି ପୃଥିବୀର କକ୍ଷପଥ ପାର କରିବ ବୋଇଂ ଠୁ ବି ବଡ଼ ଆଷ୍ଟରଏଡ୍

ପୃଥିବୀ ଉପରକୁ ମାଡ଼ି ଆସୁଛି ଆଉ ଏକ ବଡ଼ ବିପଦ। ସବୁଠୁ ବୃହତ୍ତମ ବିମାନ ବୋଇଂ୭୪୭ଠାରୁ ବି ବଡ଼ ଆକାରର ଏକ ଗ୍ରହାଣୁପୁଞ୍ଜ ସେକେଣ୍ଡ ପ୍ରତି ୬.୬୮ କିଲୋମିଟର ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଆଷ୍ଟରଏଡ୍ ୨୦୨୦ଆର୍‌କେ୨ ନାମକ ଏହି ସ୍ପେସ୍ ରକ୍ ଆସନ୍ତାକାଲି ବୁଧବାର (ଅକ୍ଟୋବର ୭) ରାତି ୧୦.୪୨ ସମୟରେ ପୃଥିବୀର କକ୍ଷପଥ ପାର ହେବ ବୋଲି ସୂଚନା ମିଳିଛି।

ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ‘ପୃଥିବୀ ପୃଷ୍ଠରୁ ୩୮,୩୦,୨୩୮ କିଲୋମିଟର ଦୂରରେ ରହିଥିବା ଏହି ଆଷ୍ଟରଏଡ୍ ବା ଗ୍ରହାଣୁପୁଞ୍ଜ ପୃଥିବୀ ଠାରୁ ବହୁ ଦୂରରେ ଗତି କରିବ। ଏଣୁ ପୃଥିବୀ ଉପରକୁ କମ ବିପଦ ଅଛି ବୋଲି ନାସା କହିଛି। ଏହି ଗ୍ରହାଣୁପୁଞ୍ଜଟି ପୃଥିବୀର ଅତି ନିକଟରେ ଥାଇ ମଧ୍ୟ ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ଏଯାଏ ଦେଖିପାରି ନାହାନ୍ତି। ଆଷ୍ଟରଏଡ୍ ୨୦୨୦ଆର୍‌କେ୨ର ବ୍ୟାସ ୩୬ ମିଟର୍‌ରୁ ୮୧ ମିଟର୍‌ ବୋଲି ଆକଳନ କରାଯାଇଛି। ନାସା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ପୃଥିବୀର କକ୍ଷପଥକୁ ଅତିକ୍ରମ କରି ଗ୍ରହାଣୁପୁଞ୍ଜଟି ଯିବା ପରେ ଅଗଷ୍ଟ ୨୦୨୭ ପର୍ଯ୍ୟନ୍ତ ଆମକୁ ଆଉଦେଖାଦେବ ନାହିଁ।

astroid

ପ୍ରକାଶ ଯେ, ପୂର୍ବରୁ ନାସା ଅନ୍ୟ ଏକ ଆଷ୍ଟରଏଡର ପୂର୍ବାନୁମାନ କରି କହିଥିଲା ଯେ ନଭେମ୍ବର ୩ ତାରିଖ ପୂର୍ବରୁ ପୃଥିବୀ ଆଡକୁ ଆସୁଥିବା ଏକ ଗ୍ରହାଣୁପୁଞ୍ଜ ପୃଥିବୀରେ ଧକ୍କା ହେବାର ଆଶଙ୍କା ରହିଛି। ୨୦୧୮ ଭିପିଆଇ ନାମକ ଏହି ଆଷ୍ଟରଏଡ୍ ପୃଥିବୀଠାରୁ ପ୍ରାୟ ୪୫,୦୦,୦୦୦ କିଲୋମିଟର ଦୂରରେ ରହିଛି। ଏହି ଗ୍ରହାଣୁପୁଞ୍ଜକୁ ପ୍ରଥମେ କାଲିଫର୍ଣ୍ଣିଆର ପାଲୋମାର ଅବଜରଭେଟୋରି ଦ୍ବାରା ୨୦୧୮ ମସିହାରେ ଆବିଷ୍କାର କରାଯାଇଥିଲା।