ବେଙ୍ଗାଲୁରୁର ଯୁବ ଇଞ୍ଜିନିୟର ଇଲେକ୍ଟ୍ରିକ୍ ଆବର୍ଜନାରେ ପ୍ରସ୍ତୁତ କଲେ ‘ଶୀତତାପ ନିୟନ୍ତ୍ରିତ ହେଲ୍ମେଟ’, ଖରାରେ ଥଣ୍ଡା ରଖେ ମୁଣ୍ଡ
ଜଣେ ମେକାନିକାଲ୍ ଇଞ୍ଜିନିୟର୍ ଏକ ଶୀତତାପ ନିୟନ୍ତ୍ରିତ ହେଲମେଟ୍ର ଡିଜାଇନ୍ କରିଛନ୍ତି, ଯାହାକି ମୁଣ୍ଡକୁ ଥଣ୍ଡା ରଖିବା ସହ ଖରାଦିନେ ଶ୍ୱାସରୋଧରୁ ସୁରକ୍ଷା ଦେଇଥାଏ। ବେଙ୍ଗାଲୁରୁରେ ଥିବା ଏକ ମଲ୍ଟି ନ୍ୟାଶନାଲ୍ କମ୍ପାନୀର ନିର୍ଦ୍ଦେଶକ ସନ୍ଦୀପ ଦହିଆ ନିଜ ଘରର ଇଲେକ୍ଟ୍ରିକ୍ ଆବର୍ଜନା କର୍ମଶାଳାରେ ଏହି ହେଲ୍ମେଟ ତିଆରି କରିଛନ୍ତି। ସନ୍ଦୀପ ସାଢ଼େ ୪ ବର୍ଷ ମଧ୍ୟରେ ୮ଟି ଅଲଗା ମେଡଲର ହେଲ୍ମେଟ ତିଆରି କରିଛନ୍ତି, ଯାହାକୁ ସେ ‘ବାତାନୁକୁଳ’ ନାମ ଦେଇଛନ୍ତି। ଏହା ବାଇକ୍ ବ୍ୟାଟେରୀ ଦ୍ୱାରା ଡିସି ପାଓ୍ଵାର(୧୨ ଭୋଲ୍ଟ) ଉପରେ କାମ କରିଥାଏ ଏବଂ ଶୀତଳ ପ୍ରଭାବ ପାଇଁ ଅନ୍ୟ କୌଣସି ବାହାର ଶକ୍ତିର ଆବଶ୍ୟକ ପଡ଼ି ନ ଥାଏ।
ସନ୍ଦୀପଙ୍କ କହିବା ହେଲା, ‘ପ୍ରବଳ ଖରାରେ ବାଇକ୍ ଚାଳକମାନେ ଯେତେବେଳେ ଟ୍ରାଫିକ୍ ସିଗନାଲ୍ରେ ଅପେକ୍ଷା କରିଥାଆନ୍ତି, ସେତେବେଳେ ସେମାନେ ନିଜ ହେଲମେଟ୍କୁ କାଢ଼ି ବାଇକ୍ ତେଲ ଟାଙ୍କି ଉପରେ ରଖିଥାଆନ୍ତି। ଅନେକ ଲୋକ ଏପରି କରୁଥିବାର ଦେଖିବା ପରେ ଏହା ମୋତେ ବାତାନୁକୁଳିତ ହେଲ୍ମେଟ ଡିଜାଇନ୍ କରିବା ପାଇଁ ପ୍ରେରଣା ଯୋଗାଇଥିଲା। ମୁଁ ନିଜେ ଜଣେ ବାଇକ୍ ଚାଳକ। ଯେବେ ହେଲ୍ମେଟର କାଚ ବନ୍ଦ କରି ଦିଆଯାଏ, ଭିତରକୁ ପବନ ଆଦୌ ପ୍ରବେଶ କରିପାରେ ନାହିଁ। ସେହି ସମୟରେ ନିଶ୍ୱାସ ବନ୍ଦ ହେଲା ଭଳି ଲାଗେ। ଏପରି କି, ଏହା ଜୀବନନାଶକ ମଧ୍ୟ ହୋଇପାରେ। ତେଣୁ ମୁଁ ଏକ ଉପଯୁକ୍ତ ହେଲମେଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲି’।
ବାତାନୁକୁଳିତ ହେଲ୍ମେଟର ଦୁଇଟି ଭାଗ ରହିଛି। ପ୍ରଥମ ଭାଗରେ ହେଲ୍ମେଟ ଭିତରକୁ ପବନ ସଞ୍ଚାଳନ ପାଇଁ ରବର ଟ୍ୟୁବ୍ସ ଲଗାଯାଇଛି। ଦ୍ୱିତୀୟଟି ପିନ୍ଧିବା ୟୁନିଟ୍ ଅଟେ, ଯାହାକି ବ୍ୟାକ୍ପ୍ୟାକ୍ ଭଳି। ପିନ୍ଧିବା ୟୁନିଟ୍ରେ ଏକ ରିଭର୍ସ ଥର୍ମୋ ଯୁଗଳ, ହିଟ୍ ଏକ୍ସଚେଞ୍ଜର, ନିୟନ୍ତ୍ରଣ ଏବଂ ବ୍ଲୋୟର୍ ୟୁନିଟ୍ ସାମିଲ ରହିଛି।
ଏହାସହ ପଢ଼ନ୍ତୁ: କ୍ୟାମେରା ନେଇ ନଦୀକୁ ବାହାରିଲେ ବୁଡ଼ାଳି, ୭ ମିଟର ଲମ୍ବା ଆନାକୋଣ୍ଡା ସହ ହେଲା ସାମ୍ନାସାମ୍ନି, ଦେଖନ୍ତୁ ଭିଡିଓ
ହିଟ୍ ଏକ୍ସଚେଞ୍ଜର ଏୟାର-କୁଲିଙ୍ଗ୍ର ଧ୍ୟାନ ରଖିଥାଏ। ଆଉ ଏଥିପାଇଁ ବରଫ କିମ୍ବା ପାଣିର କୌଣସି ଆବଶ୍ୟକତା ନ ଥାଏ। ଏଥିରେ ଏକ ଅର୍ଦ୍ଧଚାଳକ ରହିଛି, ଯାହାକି ତାପମାତ୍ରାକୁ ହ୍ରାସ ଏବଂ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ହେଲ୍ମେଟରେ ପାଓ୍ଵାର୍ ସପ୍ଲାଏ ନ ଥାଏ। କିନ୍ତୁ ରବର ଟ୍ୟୁବ୍ ରୂପରେ ଏୟାର୍ ସର୍କୁଲେଟର୍ସ ରହିଛି। ଏହା ରିମୋଟ୍ ଭଳି କାମ କରୁଥିବା ଏସି କଣ୍ଟ୍ରୋଲ୍ ଡିଭାଇସ୍ରେ ଜଡ଼ିତ ରହିଛି। ସନ୍ଦୀପ ଘରୁ ଅଫିସ ଯିବା ରାସ୍ତାରେ ଏହି ହେଲ୍ମେଟକୁ ଉପଯୋଗ କରିଥାଆନ୍ତି। ୧ ମାସ ହେବ ସେ ଏହାକୁ ପରୀକ୍ଷା କରୁଛନ୍ତି।