Below header

ନଭେମ୍ବର ୮ରୁ ସବୁ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌, ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ୮ ନଭେମ୍ବରରୁ ସମସ୍ତ ସ୍ତରର କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ପୁନଃ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। Personnel Ministry ସୋମବାର କହିଛି କି, ବିଭାଗ ପ୍ରମୁଖ ଏହା ସୁନିଶ୍ଚିତ କରିବେ ଯେ ବାୟୋମେଟ୍ରିକ ମେଶିନ ପାଖରେ ସାନିଟାଇଜର ଅନିବାର୍ଯ୍ୟ ରୂପରେ ରଖାଯିବ। ସମସ୍ତ କର୍ମଚାରୀ ଉପସ୍ଥାନ ଦେବା ପୂର୍ବରୁ ଏବଂ ପରେ ନିଜ ହାତକୁ ଭଲ ଭାବେ ସାନିଟାଇଜ୍‌ କରିବେ। ଏଥି ପୂର୍ବରୁ କରୋନା ଭାଇରସ୍‌ ମହାମାରୀ କାରଣରୁ ସମସ୍ତ କର୍ମଚାରୀଙ୍କୁ ବାୟୋମେଟ୍ରିକ୍‌ରେ ଉପସ୍ଥାନ ପକେଇବାରୁ ମୁକ୍ତ କରାଯାଇଥିଲା।

କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ପଠାଇଥିବା ଆଦେଶରେ କୁହାଯାଇଛି ଯେ ନିଜର ଉପସ୍ଥାନ ପଞ୍ଜୀକରଣ କରିବା ସମୟରେ ସମସ୍ତ କର୍ମଚାରୀ ଅନିବାର୍ଯ୍ୟ ରୂପରେ ୬ ଫୁଟର ଦୂରତା ବଜାୟ ରଖିବେ। ଭିଡ଼ରୁ ବଞ୍ଚିବା ପାଇଁ ଆବଶ୍ୟକତା ପଡ଼ିଲେ ଅତିରିକ୍ତ ବାୟୋମେଟ୍ରିକ୍‌ ମେଶିନ ଲଗା ଯାଇପାରିବ। ସମସ୍ତ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ ପୂରା ସମୟ ନିଜ ଚେହେରାକୁ ଢାଙ୍କି ରଖିବା ମଧ୍ୟ ବାଧ୍ୟତାମୂଳକ ହେବ। ଏପରି କି, ଉପସ୍ଥାନ ପଞ୍ଜୀକରଣ ସମୟରେ ମଧ୍ୟ କର୍ମଚାରୀମାନଙ୍କୁ ମାସ୍କ ପିନ୍ଧି ନିୟମକୁ ପାଳନ କରିବାକୁ ପଡ଼ିବ। ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବୈଠକଗୁଡ଼ିକ ଜାରି ରହିବ ଏବଂ ଜନସାଧାରଣଙ୍କ ସ୍ୱାର୍ଥର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଆଗନ୍ତୁକମାନଙ୍କ ସହିତ ସାକ୍ଷାତ ଉପରେ ରୋକ୍‌ ଲଗାଯିବ।

ପୂର୍ବରୁ ଦସ୍ତଖତ ଦ୍ୱାରା ଉପସ୍ଥାନ ପକାଯାଉଥିଲା

କହି ରଖୁଛୁ କି, କରୋନାରୁ ବଞ୍ଚିବା ପାଇଁ ବାୟୋମେଟ୍ରିକ ଉପସ୍ଥାନକୁ ମାର୍ଚ୍ଚ ୨୦୨୦ରେ ତୁରନ୍ତ ରୋକି ଦିଆଯାଇଥିଲା। ଏହାପରଠାରୁ ସରକାରୀ କର୍ମଚାରୀମାନେ ରେଜିଷ୍ଟର୍‌ରେ ହିଁ ଦସ୍ତଖତ କରି ନିଜର ଉପସ୍ଥାନ ପକାଉଥିଲେ। ଯଦିଓ କିଛି ସରକାରୀ ବିଭାଗରେ ପରବର୍ତ୍ତୀ ସମୟରେ ଏହି ନିୟମ ଲାଗୁ କରାଯାଇଥିଲା। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଲୋକଙ୍କ ସମ୍ପର୍କରେ ଆସୁଥିବା ଜିନିଷର ପ୍ରୟୋଗକୁ ସରକାର ବାରଣ କରିଥିଲେ।

ଦିନକ ଭିତରେ ଆସିଲା ୧୨ ହଜାରରୁ ଅଧିକ ମାମଲା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ୧୨,୫୧୪ ତାଜା ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଭାରତରେ କରୋନାର ମୋଟ ମାମଲା ୩ କୋଟି ୪୨ ଲକ୍ଷ ୮୫ ହଜାର ୮୧୪ରେ ପହଞ୍ଚି ଯାଇଛି। ସେପଟେ ଆକ୍ଟିଭ୍‌ କରୋନା ମାମଲାର ସଂଖ୍ୟା ବଢ଼ି ଏବେ ୧ ଲକ୍ଷ ୫୮ ହଜାର ୮୧୭ ହୋଇ ଯାଇଛି। ଆକଳନ ଅନୁସାରେ, ଆକ୍ଟିଭ୍‌ ମାମଲା ୨୪୮ ଦିନରେ ସବୁଠାରୁ କମ୍‌ ରେକର୍ଡ କରାଯାଇଛି। Personnel Ministry କହିଛି କି, ସମସ୍ତ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟାଳୟରେ ପ୍ରତ୍ୟେକ ସମୟରେ କୋଭିଡ୍‌ ସମ୍ବନ୍ଧିତ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଅନୁପାଳନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.