Below header

ପୁନୀତ ଦାନ କରିଥିବା ଆଖିରେ ଦୁନିଆ ଦେଖିବେ ୪ ଜଣ ବ୍ୟକ୍ତି, ମୃତ୍ୟୁ ପରେ ମଧ୍ୟ ହୃଦୟ ଜିତୁଛନ୍ତି ଅଭିନେତା

କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ପରଲୋକରେ ସମଗ୍ର କର୍ଣ୍ଣାଟକ ସହିତ ଦେଶରେ ଶୋକର ଛାୟା ଖେଳିଯାଇଛି। ସେ କେବଳ ଅଭିନୟ ଇଣ୍ଡଷ୍ଟ୍ରୀର ନାୟକ ନଥିଲେ ବରଂ ଅନେକ ଅସହାୟଙ୍କ ପାଇଁ ସାହାରା ଥିଲେ । ପୁନୀତ କୁମାରଙ୍କୁ ତାଙ୍କର ମହନୀୟତା ବେଶ୍‌ ଲୋକପ୍ରିୟ ହୋଇଥିଲେ ଏବେ ମୃତ୍ୟୁ ପରେ ବି ସେ ସମସ୍ତଙ୍କ ହୃଦୟରେ ଜୀବିତ ରହିବେ । ମୃତ୍ୟୁ ପରେ ବାପାଙ୍କ ଭଳି ନିଜର ଆଖି ଦାନ କରିଥିଲେ ପୁନୀତ।

ଏବେ ଖବର ମୁତାବକ, ପୁନୀତ ଦାନ କରିଥିବା ଆଖିରେ ଦୁନିଆ ଦେଖିବେ ୪ ଜଣ । ବୋଧହୁଏ ଏହା ପ୍ରଥମ ଘଟଣା ଯେ ପୁନୀତଙ୍କ ଦୁଇ ଆଖି ପାଇଁ ଦୁନିଆ ଦେଖିବାକୁ ପୁଣି ଥରେ ସକ୍ଷମ ହୋଇଛନ୍ତି ୪ ଜଣ। ଖବର ମୁତାବକ, ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ଜଣେ ମହିଳା ଦୁନିଆ ଦେଖିପାରିବେ। ଶୁକ୍ରବାର ପୁନୀତଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକେ ତାଙ୍କର ଆଖି ଦାନ କରିବାକୁ ନିଷ୍ପତ୍ତି କରିଥିଲେ। ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ। କିନ୍ତୁ ପୁନୀତଙ୍କ କ୍ଷେତ୍ରର ତାଙ୍କର ଦୁଇ ଆଖି ୪ ଜଣ ଯୁବକଙ୍କୁ ଦୃ‌ଷ୍ଟି ଶକ୍ତି ଦେଇଛି ବୋଲି କହିଛନ୍ତି ଡାକ୍ତର ଶେଟ୍ଟୀ।

ଡାକ୍ତରଙ୍କ ଅନୁସାରେ, ନୂତନ ଡାକ୍ତରୀ ଜ୍ଞାନ କୌଶଳରେ ଏହି ପ୍ରତିରୋପଣ ହୋଇଛି। ପ୍ରତି ଆଖିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରଥମେ କର୍ନିଆର ବହିର୍ଭାଗ ଏବଂ ଭିତର ଭାଗକୁ ଅଲଗା କରାଯାଇ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ସେହିଭଳି ସୁପରିଫିସିଆଲ ଅଂଶକୁ ଭାଗ କରାଯାଇ ଅନ୍ୟ ଦୁଇ ରୋଗୀଙ୍କ ଠାରେ ସଂଯୋଗ କରାଯାଇଛି। ଏହି ପରି ୪ ରୋଗୀ ପୁଣି ଥରେ ଦୁନିଆ ଦେଖିବାରେ ସମର୍ଥ ହୋଇଛନ୍ତି। ପୁନୀତଙ୍କ ଦୁଇ ଆଖି ପାଇଁ ୪ ଜଣ ଦୁନିଆ ଦେଖିବାରେ ସକ୍ଷମ ହୋଇଛନ୍ତି ତାହା ନୁହେଁ ତାଙ୍କ ଆଖିର ଧଳା ଅଂଶକୁ ଲ୍ୟାବୋରେଟୋରିରେ ରଖାଯାଇଛି। ଏହାକୁ ପରବର୍ତ୍ତୀ ସମୟରେ ଲିମ୍ବାଲ ଷ୍ଟେମ୍‌ ସେଲ୍‌ ଡେଫିସିଏନ୍ସି ଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.