ମଧ୍ୟ ପ୍ରଦେଶରେ ବଡ଼ ଦୁର୍ଘଟଣା: ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍‌; ୧୨ ମୃତ, ୧୨ରୁ ଅଧିକ ଆହତ

ମଧ୍ୟ ପ୍ରଦେଶରେ ସୋମବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ଖରଗୋନ ଓ ଧାର ଜିଲ୍ଲାର ସୀମାରେ ଏକ ଯାତ୍ରୀବାହୀ ବସ୍‌ ନର୍ମଦା ନଦୀକୁ ଖସି ପଡ଼ିଛି। ବସ୍‌ରେ ୫୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ବସ୍‌ଟି ଇନ୍ଦୌରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ଖରଗୋନ ଏସ୍‌ପି ଧର୍ମବୀର ସିଂଙ୍କ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନଦୀରୁ ଉଦ୍ଧାର କରାଯାଇଛି। ମୃତ୍ୟୁମୁଖରୁ ଉଦ୍ଧାର ପାଇଥିବା ଯାତ୍ରୀଙ୍କ କହିବା ହେଲା, ବସ୍‌ ଭାରସାମ୍ୟ ହରାଇ ନଦୀ ବନ୍ଧର ବାଡ଼ ଭାଙ୍ଗି ସିଧା ନଦୀକୁ ଖସି ପଡ଼ିଥିଲା। ଏହାପରେ ନଦୀ ଭିତରେ ଥିବା ପଥରରେ ମାଡ଼ ହୋଇ ଓଲଟି ପଡ଼ିଥିଲା।

ସେପଟେ ଏହି ଦୁର୍ଘଟଣା ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂ ଚୌହାନ ଘଟଣାସ୍ଥଳକୁ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅତିରିକ୍ତ ଆବଶ୍ୟକ ସଂସାଧନ ପଠାଇବାକୁ କହିଛନ୍ତି। ଏତଦ୍‌ ବ୍ୟତୀତ ଆହତମାନଙ୍କର ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.