Below header

ରୋଭର ପ୍ରଜ୍ଞାକୁ ନେଇ ଆଗକୁ ବଢୁଛି ଲ୍ୟାଣ୍ଡର ବିକ୍ରମ, ଆଜି ଚନ୍ଦ୍ର ନିକଟକୁ ଲ୍ୟାଣ୍ଡରକୁ ଆଣିବାକୁ ପ୍ରୟାସ କରିବେ ବୈଜ୍ଞାନିକ

ନୂଆଦିଲ୍ଲୀ : ମିଶନ୍‌ ଚନ୍ଦ୍ରାୟନ-୨ରେ ଆଉ ପାଦେ ଆଗେଇଲା ଇସ୍ରୋ । ଚନ୍ଦ୍ରାୟନ-୨ର ଅର୍ବିଟରଠାରୁ ସଫଳତାର ସହ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଏବେ ପୃଥକ ଭାବେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଲ୍ୟାଣ୍ଡର । ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମ ଏବେ ଚନ୍ଦ୍ରର ୧୧୯ ଗୁଣା ୧୨୭ କିଲୋମିଟର କକ୍ଷରେ ଚକ୍କର କାଟୁଛି । ସାଥିରେ ନେଇଥିବା ରୋଭର ପ୍ରଜ୍ଞା ସହ ଚନ୍ଦ୍ର ଆଡକୁ ଆଗକୁ ବଢୁଛି । ଅର୍ବିଟର ଓ ଲ୍ୟାଣ୍ଡର ବିକ୍ରମର ସବୁ ପ୍ରଣାଳୀ ଠିକ୍‌ ଭାବେ କାମ କରୁଥିବା ଜଣାପଡ଼ିଛି । ଆଜି ଇସ୍ରୋର ବୈଜ୍ଞାନିକମାନେ ଲ୍ୟାଣ୍ଡର ବିକ୍ରମକୁ ତଳକୁ ଆଣିବାକୁ ଚେଷ୍ଟା କରିବେ । ଆଜି ପ୍ରଥମ ଡିଅର୍ବିଟର ଓ ଆସନ୍ତାକାଲି ଦ୍ୱିତୀୟ ଡିଅର୍ବିଟର ଶେଷ ହେବ । ଅର୍ଥାତ୍‌ କାଲି ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଅତି ନିକଟତର ହେବ । ଚନ୍ଦ୍ରଠାରୁ ଏହି କକ୍ଷର ଦୂରତା ସର୍ବାଧିକ ୯୭ କିମି ଓ ସର୍ବନିମ୍ନ ୩୫ କିମି ରହିବ । ତିନି ଦିନ ପର‌୍ୟ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ସବୁଠୁ ନିକଟବର୍ତ୍ତୀ କକ୍ଷରେ ବୁଲିବ । ଏହା ପରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ସେପ୍ଚେମ୍ବର ୭ ତାରିଖ ଭୋର ଗୋଟାଏ ୫୫ ମିନିଟରେ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବ । ଏଥିରେ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର GSLV MK-3 ରକେଟ୍‌ ଯୋଗେ ଚନ୍ଦ୍ରଯାନ-୨କୁ ପ୍ରେରଣ କରାଯଇଥିଲା। ଚଳିତ ମାସ ୧୪ ତାରିଖରେ ଏହା ପୃଥିବୀ ଛାଡ଼ି ଚନ୍ଦ୍ର ଅଭିମୁଖେ ଗତି କରିଥିଲା। ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.