Below header

ପ୍ରସବ ବେଳେ ପ୍ରସୂତି ପେଟରେ ପିଲାର ମୁଣ୍ଡ ଗଣ୍ଡି ଅଲଗା ହେଲା

ଜୟପୁର (ରାଜସ୍ଥାନ) : ବିଶ୍ୱାସ କରିବା କଷ୍ଟକର । ଦେଶର କୌଣସି ଡାକ୍ତରଖାନାରେ ଏଭଳି ଘଟଣା ଆଗରୁ କେବେ ଘଟି ନଥିବ ନିଶ୍ଚୟ । ଡାକ୍ତର ବି ଆଶ୍ଚର୍ଯ୍ୟ । ଏଭଳି ଘଟିଲା କେମିତି ? ପିଲା ଜନ୍ମ ବେଳେ ଚିକିତ୍ସା କର୍ମୀ ପିଲାଟିକୁ ଏତେ ଜୋରରେ ଟାଣି ଦେଲେ ଯେ ପ୍ରସୂତିର ପେଟ ଭିତରେ ମୁଣ୍ଡ ରହିଗଲା ଓ ଗଣ୍ଡି ଅଲଗା ହୋଇ ବାହାରକୁ ଚାଲି ଆସିଲା ।
ରାଜସ୍ଥାନର ଜୟସାଲମେର ଅନ୍ତର୍ଗତ ରାମଗଡ଼ ସରକାରୀ ଡାକ୍ତରଖାନାରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା । ମୃତ ନବଜାତର ଗଣ୍ଡି ବାହାରି ଆସିବା ପରେ ମୃତ ପିଲା ଜନ୍ମ ହୋଇଛି କହି ଡାକ୍ତର ଓ ନର୍ସମାନେ ମହିଳାଙ୍କ ପରିବାରକୁ ଅସଲ କଥା ଜଣାଇ ନଥିଲେ । ତାଙ୍କୁ ଜୟସାଲେମେର ହସପିଟାଲକୁୁ ରେଫର କରି ଦେଲେ । ସେଠାରୁ ପୁଣି ଯୋଧପୁରକୁ ନେବାକୁ ହେଲା ପ୍ରସୂତିଙ୍କୁ । ଯେଉଁଠି ଖୋଲିଲା ଅସଲ ରହସ୍ୟ ।

RAMGAD HOSPITAL

ପ୍ରସବ ପୀଡ଼ା ହେବାରୁ ଦୀକ୍ଷା କଓ୍ଵଁର ନାମକ ପ୍ରସୂତି ରାମଗଡ଼ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ସେମାନେ ଚେଷ୍ଟା କରି ମଧ୍ୟ ପିଲାଟିର ପ୍ରସବ କରାଇ ପାରିଲେ ନାହିଁ ଡାକ୍ତର ଓ ନର୍ସ । କେବଳ ବାହାରି ଆସିଲା ପିଲାଟିର ବେକ ଠାରୁ ଗୋଡ଼ ପର୍ଯ୍ୟନ୍ତ ଅଧା ଶରୀରର । ପରିସ୍ଥିତି ଖରାପ ଦେଖି ଚିକିତ୍ସା କର୍ମୀ ଓ ଡାକ୍ତରଙ୍କ ମୁଣ୍ଡ ଘୂରେଇ ଗଲା । ସେମାନଙ୍କ ବୁଦ୍ଧି ହଜି ଗଲା । ତେଣୁ ମହିଳାଙ୍କୁ ତୁରନ୍ତ ଜୟସାଲମେର ଡାକ୍ତରଖାନାକୁ ପଠାଇ ଦେଲେ । କିନ୍ତୁ ପରିବାର ଲୋକଙ୍କୁ କହିଲେ ନାହିଁ କଣ ଘଟିଛି । ଜୟସାଲମେର ହସପିଟାଲରେ କିନ୍ତୁ ଏଭଳି ଗୁରୁତରଙ୍କ ପାଇଁ ଚିକିତ୍ସା ସୁବିଧା ନଥିଲା । ସେମାନେ ତାଙ୍କୁ ଯୋଧପୁର ହସପିଟାଲକୁ ପଠାଇ ଦେଲେ । ରାମଗଡ଼ ଡାକ୍ତରଖାନାରୁ ଯୋଧପୁର ଡାକ୍ତରଖାନାର ମୁଖ୍ୟଙ୍କୁ କୁହାଯାଇଥିଲା ଯେ ପ୍ରସବ କାର୍ଯ୍ୟ ସରିଛି । ହେଲେ ପ୍ରସୂତୀ ପେଟରେ ନାଡ଼ ରହିଯାଇଛି । ତେବେ ରାତି ଗୋଟାଏ ବେଳେ ଯେତେବେଳେ ଯୋଧପୁରର ଡାକ୍ତର ମହିଳାଙ୍କୁ ଯାଞ୍ଚ କଲେ ସେତେବେଳେ ଜାଣିଲେ ଯେ ପେଟ ଭିତରେ ନାଡ଼ ନୁହେଁ ମୃତ ଶିଶୁର ପୂରା ମୁଣ୍ଡ ରହିଛି । ଏହା ପରେ ସେମାନେ ମୁଣ୍ଡଟିକୁ ବାହାର କରି ପ୍ରସୂତିଙ୍କ ପରିବାର ଲୋକଙ୍କୁ ଦେଲେ । ଏଠାକାର ମୁଖ୍ୟ ଡାକ୍ତର କହିଲେ ଯେ ମୋ ଜୀବନରେ ମୁଁ ଏଭଳି କେସ୍‌ ଦେଖି ନାହିଁ ।

LABOUR ROOM
ଘଟଣା ଜାଣିବା ପରେ ମହିଳାଙ୍କ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଲେ । ସେମାନେ ଯାଇ ରାମଗଡ଼ ଥାନାରେ ଏତଲା ଦେଲେ । ପୋଲିସ୍‌ ରାମଗଡ଼ ସରକାରୀ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରୁ ମିଳିଲା ମୃତ ନବଜାତର ବାକି ଅଧା ଶରୀର ।
ଏହା ପରେ ମାମଲା ରୁଜୁ କରି ପୋଲିସ୍‌ ଉଭୟ ମୁଣ୍ଡ ଓ ଗଣ୍ଡିର ଅଲଗା ପୋଷ୍ଟମର୍ଟମ କରିବା ସହ ତଦନ୍ତ ଚଳାଇଛି । ହେଲେ ଏବେବି ସ୍ପଷ୍ଟ ହୋଇନି ପ୍ରସୂତୀ ପେଟ ଭିତରେ କିଭଳି ପିଲାଟିର ମୁଣ୍ଡଗଣ୍ଡି ଅଲଗା ହେଲା । କିନ୍ତୁ ତା ଠାରୁ ଅଧିକ ଗୁରୁତର ହେଉଛି ଡାକ୍ତର କିମ୍ବା ନର୍ସ ଘଟଣାକୁ ମହିଳାଙ୍କ ପରିବାର ଲୋକଙ୍କୁ ନଜଣାଇ ଲୁଚାଇ ରଖିଲେ । ଆଉ ଯନ୍ତ୍ରଣାରେ କଲବଲ ହେଲେ ପ୍ରସୂତି ଏବଂ ରାମଗଡ଼ରୁ ଯୋଧପୁର ଯାଏ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ତାଙ୍କ ପରିବାର ଲୋକେ । ଆଉ କଳା ଦାଗ ଲାଗିଲା ଈଶ୍ୱରଙ୍କ ଦ୍ୱିତୀୟ ରୂପ କୁହାଯାଉଥିବା ଡାକ୍ତରଙ୍କ ମର୍ଯ୍ୟାଦାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.