ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଏଡ଼ାଇବା ପାଇଁ ନୂଆ ଆକ୍ସନ ପ୍ଲାନ, ୯ଟି ସଡ଼କରେ ଶୁଳ୍କ ଲଗାଇ ପାରନ୍ତି ସରକାର!

ବେଙ୍ଗାଲୁରୁରେ ଟ୍ରାଫିକ୍ ଜାମ୍ ଏଡ଼ାଇବା ପାଇଁ ପିକ୍ ଆଓ୍ଵାର୍ସ ସମୟରେ ୯ଟି ସଡ଼କରେ କଞ୍ଜେସନ ଟ୍ୟାକ୍ସ ଲଗାଇ ପାରନ୍ତି ସରକାର। ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ କର୍ଣ୍ଣାଟକ ସରକାର ବିଶେଷଜ୍ଞ କମିଟି ଗଠନ କରିଥିଲେ। ସହରରେ ବଢ଼ୁଥିବା ଯାତାୟାତ ସମସ୍ୟାକୁ ହ୍ରାସ କରିବା ପାଇଁ କମିଟି କଞ୍ଜେସନ ଟ୍ୟାକ୍ସ ଲଗାଇବାକୁ ପରାମର୍ଶ ଦେଇଛି।
‘Karnataka’s Roadmap to a 1 Trillion Economy’ ଶୀର୍ଷକ ରିପୋର୍ଟରେ ସୁପାରିଶ୍ କରାଯାଇଛି ଯେ ପିକ୍ ଆଓ୍ଵାର୍ସ ସମୟରେ ସହରରେ ପ୍ରବେଶ କରୁଥିବା ସମସ୍ତ ନନ୍-ଏକ୍ସେମ୍ପଟ୍ ଗାଡ଼ିଗୁଡ଼ିକ ଉପରେ କଞ୍ଜେସନ ଶୁଳ୍କ ଲଗାଯିବା ଉଚିତ୍।
ରିପୋର୍ଟ ମୁତାବକ, ବେଙ୍ଗାଲୁରୁରେ ଯାତାୟାତ ଭିଡ଼ ଯୋଗୁ ପାଖାପାଖି ୧.୨ କୋଟି ନାଗରିକ ବାର୍ଷିକ ୬୦ କୋଟି ଘଣ୍ଟା ଏବଂ ପ୍ରତି ଘଣ୍ଟାରେ ପାଖାପାଖି ୨.୮ ଲକ୍ଷ ଲିଟର ଇନ୍ଧନ ନଷ୍ଟ କରି ଦେଉଛନ୍ତି। କମିଟି ନିଜ ରିପୋର୍ଟରେ ବେଲାରି ରୋଡ୍, ତୁମକୁରୁ ରୋଡ୍, ମଗଦି ରୋଡ୍, ମୈସୁର ରୋଡ୍, କନକପୁରା ରୋଡ୍, ବନ୍ନେରଘଟା ରୋଡ୍, ହୋସୁର ରୋଡ୍, ଓଲ୍ଡ ମଦ୍ରାସ ରୋଡ୍, ଓଲ୍ଡ ଏୟାରପୋର୍ଟ ରୋଡ୍ରେ ଏହି ଟ୍ୟାକ୍ସ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ପ୍ରତିଦିନ ସହରରେ ୧୨ ମିଲିୟନ ଗାଡ଼ି ପ୍ରବେଶ କରୁଛି। କମିଟି କହିଛି ଯେ କଞ୍ଜେସନ ଚାର୍ଜ ଲଗାଇବା ଦ୍ୱାରା ସହରକୁ ପୂର୍ବ ତୁଳନାରେ ଅଧିକ ରାଜସ୍ୱ ମିଳିବ। ଅଧିକାରୀମାନେ କଞ୍ଜେସନ ଟ୍ୟାକ୍ସ ସଂଗ୍ରହ ପାଇଁ ଫାସ୍ଟ୍ୟାଗ୍ ପ୍ରଣାଳୀ ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।