ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ବନ୍ଦ! ରୋଜଗାର ହରାଇଥିବା ଶ୍ରମିକଙ୍କୁ ବଡ଼ ଆଶ୍ୱସ୍ତି; ସରକାର ଦେବେ ମାସିକ ୫୦୦୦ ଟଙ୍କା

ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ Grap Stage 3ର ନିୟମ ଲାଗୁ ହୋଇଯାଇଛି। ଏହା ଅଧୀନରେ ଦିଲ୍ଲୀରେ କୋଠାବାଡ଼ି ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। କନ୍ଷ୍ଟ୍ରକ୍ସନ କାର୍ଯ୍ୟ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକ ହଠାତ୍ ବେରୋଜଗାର ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ରିପୋର୍ଟ ମୁତାବକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଏ ନେଇ ମନ୍ତ୍ରୀ ମନୀଷ ସିସୋଦିୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କି, ଯେ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ନ ହୋଇଛି, ସେ ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ପ୍ରତ୍ୟେକ ମାସରେ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
କହି ରଖୁଛୁ, ଦିଲ୍ଲୀ-ଏନସିଆରରେ ବାୟୁର ଗୁଣାବତ୍ତା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଲଗାତାର ବୃଦ୍ଧି ପାଉଛି। ବଢ଼ୁଥିବା ବିପଦକୁ ଦୃଷ୍ଟିରେ ରଖି ୪ ଦିନ ପୂର୍ବେ ବାୟୁ ଗୁଣାବତ୍ତା ପ୍ରବନ୍ଧନ ଆୟୋଗ (CAQM) କିଛି ଯୋଜନାକୁ ଛାଡ଼ି ପୂରା ଦିଲ୍ଲୀ-ଏନସିଆରରେ ନିର୍ମାଣ ଓ ଭଙ୍ଗାଯିବା କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା। ବାୟୁ ଗୁଣାବତ୍ତାରେ ହ୍ରାସକୁ ରୋକିବା ପାଇଁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ତୃତୀୟ ପର୍ଯ୍ୟାୟର କାର୍ଯ୍ୟକାରିତାକୁ ତତ୍କାଳ ପ୍ରଭାବରେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତୃତୀୟ ପର୍ଯ୍ୟାୟରେ ହିଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକର ବ୍ୟବସ୍ଥା ରହିଛି।
Construction activities have been stopped across Delhi in view of pollution. I have directed Labour Minister, Sh Manish Sisodia, to give Rs 5000 pm as financial support to each construction worker during this period, when construction activities are not permitted
— Arvind Kejriwal (@ArvindKejriwal) November 2, 2022
ତୃତୀୟ ପର୍ଯ୍ୟାୟ ଅଧୀନରେ ଅଧିକାରୀମାନଙ୍କୁ ଆବଶ୍ୟକ ପରିଯୋଜନାଗୁଡ଼ିକୁ (ରେଳ, ମେଟ୍ରୋ, ବିମାନ ବନ୍ଦର, ଆଇଏସବିଟି, ଜାତୀୟ ସୁରକ୍ଷା/ ଜାତୀୟ ଗୁରୁତ୍ୱ ରକ୍ଷା ସହ ଜଡିତ ପରିଯୋଜନା) ଛାଡ଼ି ଏନସିଆରରେ ନିର୍ମାଣ ଏବଂ ଭାଙ୍ଗିବା କାର୍ଯ୍ୟ ଉପରେ କଡା ପ୍ରତିବନ୍ଧକ ଲଗାଇବାକୁ କୁହାଯାଇଛି। ଅଣପ୍ରଦୂଷଣ କାର୍ଯ୍ୟଗୁଡ଼ିକ ହେଲା, ପାଇପ୍ କାମ, ବଢ଼େଇ କାମ, ଇଣ୍ଟେରିୟର ଡିଜାଇନିଂ ଏବଂ ବୈଦ୍ୟୁତିକ କାର୍ଯ୍ୟ। ସେହିପରି ସ୍ୱଚ୍ଛ ଇନ୍ଧନ ଉପରେ କାମ କରୁ ନ ଥିବା ଇଟାଭାଟି, ହଟ୍ ମିକ୍ସ ପ୍ଲାଣ୍ଟ ଓ ପଥର ଖନନ ସହ ଏନସିଆରରେ ଖନନ ଏବଂ ସମ୍ବନ୍ଧିତ ଗତିବିଧିଗୁଡ଼ିକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। CAQM କହିଛି କି, ଦିଲ୍ଲୀ-ଏନସିଆରରେ ରାଜ୍ୟ ସରକାର ତୃତୀୟ ପର୍ଯ୍ୟାୟ ଅଧୀନରେ BS III ପେଟ୍ରୋଲ ଏବଂ BS IV ଡିଜେଲ ଚାରି ଚକିଆ ଯାନ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି।