୧୫୩ ଦେଶରେ କରୋନାର କୋକୁଆ ଭୟ, ଚୀନ୍‌ ଠାରୁ ଅଧିକ ବେଗରେ ବଢୁଛି ଇଟାଲୀର ମୃତ୍ୟୁ ହାର

କେନ୍ୟୁଜ୍(ବ୍ୟୁରୋ):  ବଢୁଛି କରୋନା କୋପା। ବେଳକୁ ବେଳ ଗମ୍ଭୀର ହେଉଛି ସ୍ଥିତି। ୧୫୩ ଦେଶକୁ କବଳିତ କରି ସାରିଲାଣି ଘାତକ ଭାଇରସ୍‌। ଚୀନ୍‌ ପରେ ଏବେ ୟୁରୋପରେ ଭୟାନକ ସ୍ଥିତି। ଚିନ୍ତାର କାରଣ ପାଲଟିଛି ଇଟାଲୀ। ଚୀନ୍‌ ଠାରୁ ଅଧିକ ବେଗରେ ବଢୁଛି ଇଟାଲୀର ମୃତ୍ୟୁ ହାର। ଗୋଟିଏ ଦିନରେ ୩୬୮ ଜଣ ପ୍ରାଣ ହରାଇଛନ୍ତି। ଏହି ମୃତ୍ୟୁ ସହ ଇଟାଲୀର ମୃତ୍ୟୁ ସଂଖ୍ୟା ୧,୮୦୯ରେ ପହଞ୍ଚିଛି। ଏହି ହାରରେ ମୃତ୍ୟୁ ସଂଖ୍ୟା ବଢିଲେ ଚୀନ୍‌କୁ ଟପିବା ପାଇଁ ବେଶି ସମୟ ଲାଗିବ ନାହିଁ। ତୃତୀୟ ସ୍ଥାନରେ ରହିଛି ଇରାନ୍‌। ଏଠାରେ ମୃତ୍ୟୁ ସଂଖ୍ୟା ୭୨୪ରେ ପହଞ୍ଚିଛି। ସ୍ପେନ୍‌ରେ ମଧ୍ୟ ସ୍ଥିତି ଭୟାବହ ହେଉଛି।

ସ୍ପେନରେ ୨୯୪ ଜଣଙ୍କ ପ୍ରାଣ ନେଲାଣି ଭାଇରସ୍‌। ଫ୍ରାନ୍ସରେ ମଧ୍ୟ ଜଟିଳ ସ୍ଥିତି। ୧୨୭ ଜଣଙ୍କ ମୃତ୍ୟୁ ଘଟିଲାଣି। ଦକ୍ଷିଣ କୋରିଆରେ ୭୫ ପ୍ରାଣ ଯାଇଥିବା ବେଳେ ଆମେରିକାରେ ୬୯ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ଇଂଲଣ୍ଡରେ ୩୫, ଜାପାନରେ ୨୫ ଓ ନେଦରଲାଣ୍ଡରେ ୨୦ ଜଣ କରୋନା ଶିକାର ହୋଇଛନ୍ତି। ଚୀନ୍‌ରେ ମୃତ୍ୟୁ ହାର କମିଛି। ଗତ ୨୪ ଘଣ୍ଟାରେ ୧୪ ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ୩ ହଜାର ୨୧୩ରେ ପହଞ୍ଚିଛି। ସାରା ପୃଥିବୀର ମୃତ୍ୟୁ ସଂଖ୍ୟା ୬ ହଜାର ୫୨୭ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପି ଯାଇଛି। ପାକିସ୍ତାନରେ ମଧ୍ୟ ୯୦ ଡେଇଁ ଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ସଚେତନତା ଛଡ଼ା କରୋନାର ସଫଳ ମୁକାବିଲା ହୋଇ ପାରୁନି।

ଭାରତରେ ବି କରୋନା କାୟା ବଢାଇବାରେ ଲାଗିଛି। ଆଜି ଉତ୍ତରାଖଣ୍ଡକୁ ଡେଇଁଛି ଭୂତାଣୁ। ଗତକାଲି ଠାରୁ ଆକ୍ରାନ୍ତ ସଂଖ୍ୟା ୧୦୦ ଡେଇଁ ସାରିଥିବା ବେଳେ ଆଜି ଉତ୍ତରାଖଣ୍ଡ, ମହରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ନୂଆ ପଜିଟିଭ୍‌ ରିପୋର୍ଟ ମିଳିଛି। ବର୍ତ୍ତମାନ ସୁଦ୍ଧା ମହରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢି ଯାଇଛି। ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ସେହିପରି ଜାତୀୟ ସ୍ତରରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କରୋନା ମୁକାବିଲା ପାଇଁ ସିରିଜ୍‌ ଟ୍ଵିଟ୍‌ କରି ଦେଶବାସୀଙ୍କ ମିଳିତ ସହଯୋଗ କାମନା କରିଛନ୍ତି ମୋଦି। ମାରାତ୍ମକ ଭୂତାଣୁକୁ ରୋକିବା ପାଇଁ କେତେକ ସାଧାରଣ ପଦକ୍ଷେପ ନେବାକୁ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ଆଜି ଆଉ ଗୋଟିଏ ପର୍ଯ୍ୟାୟରେ ଇରାନ୍‌ରୁ ୫୩ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଏମାନଙ୍କ ମଧ୍ୟରେ ୫୨ ଜଣ ଛାତ୍ର ଓ ଜଣେ ଶିକ୍ଷକ ଅଛନ୍ତି। ରାଜସ୍ଥାନରେ ପହଞ୍ଚିବା ପରେ ସମସ୍ତଙ୍କୁ ସେନା ଶିବିରକୁ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.