ଝିଅ ପାଇଁ ବାହାଘର ଠିକ୍‌ କରି ଫେରୁଥିଲେ ପରିବାର; ୨୦ ଫୁଟ୍‌ ଗଭୀର ଗର୍ତ୍ତକୁ ଖସିଲା କାର୍‌, ୫ ମୃତ

ହରିୟାଣାରେ ହିସାର-ଦିଲ୍ଲୀ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ହିସାର ସେକ୍ଟର ୨୭-୨୮ ଟର୍ଣ୍ଣ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

ହରିୟାଣାର ହିସାର-ଦିଲ୍ଲୀ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ହିସାର ସେକ୍ଟର ୨୭-୨୮ ଟର୍ଣ୍ଣ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ଅପରାହ୍ନରେ ଏଠାରେ ଏକ ଏସ୍‌ୟୁଭି ଏବଂ ଟ୍ରକ ମଧ୍ୟରେ ଜୋର୍‌ଦାର ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରକ ସହ ଧକ୍କା ହେବା ପରେ କାର୍‌ଟି ରାସ୍ତା ପାର୍ଶ୍ୱସ୍ଥ ଏକ ଗଭୀର ଗର୍ତ୍ତକୁ ଖସି ପଡ଼ିଥିଲା ।

ମିଳିଥିବା ସୂଚନା ମୁତାବକ, କାର୍‌ରେ ଯାତ୍ରା କରୁଥିବା ଏହି ପରିବାର ହଂସିରେ ଏକ ବିବାହ ପ୍ରସ୍ତାବ ସ୍ଥିର କରିବାକୁ ଯାଇଥିଲେ । ସେମାନେ ଘରକୁ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହିସାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକ କହିଛନ୍ତି ଯେ ଟ୍ରକ ସହ ଧକ୍କା ହେବା ପରେ କାର୍‌ଟି ୨୦ ଫୁଟ ଗଭୀର ଗର୍ତ୍ତରେ ଖସି ପଡିଥିଲା ।

ସୂଚନା ଅନୁସାରେ, ପଞ୍ଜାବର ବଠିଣ୍ଡା ନିକଟ ମୋଡ ମଣ୍ଡିର ନିବାସୀ ବାଗା ସିଂ ନିଜ ଝିଅ ପାଇଁ ପୁଅ ଖୋଜିବାକୁ ହଂସିର ଢାଣା କଲାନ୍‌ ଗାଁ ଆସିଥିଲେ । ଏଠାରେ ବାହାଘର ଠିକ୍‌ କରି ସମସ୍ତେ ସିରସା ଫେରୁଥିଲେ, ହେଲେ ଏହି ସମୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା ।

ସିରସା ବାସିନ୍ଦା ସୋନୁ କହିଛନ୍ତି ଯେ ଟ୍ରକ ଡ୍ରାଇଭରଙ୍କ ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଛି । ଟ୍ରକ ଡ୍ରାଇଭରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ପୋଲିସ ନିକଟରେ ଦାବି କରିଛନ୍ତି । ସଦର ଥାନାର ତଦନ୍ତକାରୀ ଅଧିକାରୀ ସୁବାସ ଚନ୍ଦ୍ରଙ୍କ ସୂଚନା ଅନୁସାରେ, ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଖୋଜାଖୋଜି କରୁଛି ।

Leave A Reply

Your email address will not be published.