ଜୋରସୋରରେ ଚାଲୁଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ, ଚକା ଡେରା ନୀତି ପାଇଁ ଚଳଚଞ୍ଚଳ ରଥ ଖଳା

ଆଉ ଦୁଇ ଗୋଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିକର ଅର ସାଲ ଶେଷ ହୋଇଛି । ପଇ ବିନ୍ଧ ଚାଲୁ ରହିଛି ଏବଂ ପଇ ବିନ୍ଧ ଶେଷ ହେବାପରେ ପଞ୍ଚମ ଚକରେ ପଇ ସଂଯୋଗ ହେବ l ଏଥିସହ ଆଜି ତାଳଧ୍ୱଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି ।

ପୁରୀ(କେନ୍ୟୁଜ): ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁଛି । ସେବକମାନେ ରଥକୁ କିପରି ସୁନ୍ଦର କରି ଗଢ଼ି ତୋଳିବେ, ସେଥିପାଇଁ ପ୍ରୟାସ ଚଳାଇଛନ୍ତି । ଖରାକୁ ଏମାନଙ୍କର ଖାତିର ନାହିଁ, ମୁଣ୍ଡ ଝାଳ ତୁଣ୍ଡରେ ମାରି ପ୍ରଭୁଙ୍କ ରଥକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ଏମାନେ । ତେବେ ପବିତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ଅନୁକୂଳ ପୂଜା ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ଦ୍ଵାରା ସମ୍ପନ୍ନ ହେବ । ପରେ ତିନି ରଥର ମହାରଣା ସେବକମାନେ ନାହାକା ଅଖର ଦୁଇ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରି ରଖିଛନ୍ତି । ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ୨ ଗୋଟି ନାହାକା ଚକ ଏବଂ ୩ ଗୋଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି ।

ଆଉ ଦୁଇ ଗୋଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିକର ଅର ସାଲ ଶେଷ ହୋଇଛି । ପଇ ବିନ୍ଧ ଚାଲୁ ରହିଛି ଏବଂ ପଇ ବିନ୍ଧ ଶେଷ ହେବାପରେ ପଞ୍ଚମ ଚକରେ ପଇ ସଂଯୋଗ ହେବ l ଏଥିସହ ଆଜି ତାଳଧ୍ୱଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି । ସେହିପରି ଦର୍ପ ଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ଚାରି ଗୋଟି ନାହାକା ଚକ ମଧ୍ୟରୁ ତିନି ଗୋଟି ନାହାକା ଚକ ନିର୍ମାଣ ଶେଷ ହୋଇଛି । ସେହିପରି ଚତୁର୍ଥ ନାହାକା ଚକର ପଇ କଳସା କାର୍ଯ୍ୟ ଜାରି ରହିଛି । ପଞ୍ଚମ ଚକର ଅରରେ ପଇ ସଂଯୋଗ ହୋଇ ପଇ ବିନ୍ଧରେ କିଳା ବାଡିଆ କାର୍ଯ୍ୟ ବାକି ରହିଛି ।

ଏଥିସହ ଦର୍ପଦଳନ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ନନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ୪ଗୋଟି ନାହାକ ଚକର ନିର୍ମାଣ ଶେଷ ହୋଇଛି । ୫ମ ଚକର ପଇ କଳସା ପାଇଁ ମାପ ଗାର ପଡ଼ିଛି, ୬ଷ୍ଠ ଚକ ତୁମ୍ବରେ ଆର ସଂଯୋଗ ହୋଇ ଅର ସାଲ ଶେଷ ହୋଇଛି । ଏଥି ସହ ନନ୍ଦିଘୋଷ ରଥର ଦୁଇଟି ୨୦ ଫିଟିଆ ଓରା ଚଉପଟ ଶେଷ ହୋଇଛି । ଚାରୋଟି କୁଡୁକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ରୂପକାର ସେବକ ମାନେ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି, ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଜର ଗୁଡ଼ିକର ପଲିସ କାର୍ଯ୍ୟ ଚାଲୁ ରହିଛି ।

Leave A Reply

Your email address will not be published.