ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗ୍ରୀଷ୍ମଲହରୀ ପାଇଁ ଆଗକୁ ବଢ଼ିପାରୁନି

ଭୁବନେଶ୍ୱର : ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ ଆସିଥିଲା । ମାଲକାନଗିରିରେ ପ୍ରବେଶ କରିବା ପରେ ପାଗ ଅନୁକୂଳ ନଥିବାରୁ ଏବେ ମୌସୁମୀ ବାୟୁ ଆଉ ଆଗକୁ ବଢ଼ିପାରୁନି । ଏପଟେ କଲବଲ କରୁଛି ତାତି । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ ଗୁଳୁଗୁଳି। ୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ।

୨ ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ଧୀରେ ଧୀରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ଗ୍ରୀଷ୍ମଲହରୀ ନେଇ ଆଜି ପଶ୍ଚିମ ଓଡିଶାର କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୪ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରଭାବ ରହିବ। ଏହା ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଏହି ସମୟ ମଧ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିବ। ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ରହିଛି।

Leave A Reply

Your email address will not be published.