ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ ଜମ୍ମୁ ପରେ ଏବେ ହିମାଚଳ ପ୍ରଦେଶର ସୋଲନ ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି । ଦମକଳ ବାହିନୀର ମଧ୍ୟ ସହାୟତା ନିଆଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ହେଲା, ଗତ ୨/୩ ଦିନ ହେବ ସୋଲନ ଜଙ୍ଗଲରେ ନିଆଁ ଲାଗିଛି । ବର୍ତ୍ତମାନ ଏହାକୁ ଆୟତ୍ତ କରିବା ମୁସ୍କିଲ ହୋଇପଡ଼ୁଛି । ସମସ୍ତ ଗ୍ରାମବାସୀ ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ।

ଏହା ପୂର୍ବରୁ ହମିରପୁର ଜଙ୍ଗଲରେ ନିଆଁ ଲାଗିଥିଲା । ଦୁଇ ଦିନ ତଳେ ହିମାଚଳର ହମିରପୁର ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗି ୭୫ ବର୍ଷୀୟା ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତା ହେଲେ, ହମିରପୁର ବଗେତୁ ଗାଁର ନିକ୍କି ଦେବୀ । ନିକ୍କି ଦେବୀଙ୍କ କ୍ଷେତ ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା । ନିଆଁକୁ ଲିଭାଇବା ପାଇଁ ସେ ଚେଷ୍ଟା କରୁଥିବା ବେଳେ ଏହା ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ହମିରପୁରରେ ଗତ ଦୁଇ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୃତ୍ୟୁ ଘଟଣା । ମେ’ ୨୯ରେ ଚକମୋହ ଅଞ୍ଚଳରେ ଜଙ୍ଗଲ ନିଆଁ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ଉତ୍ତରାଖଣ୍ଡ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି । ଏହି ନିଆଁ ସଂସ୍ପର୍ଶରେ ଆସି ୪ ବନକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଅଲ୍‌ମୋଡା ଜିଲ୍ଲାରେ ସିଭିଲ ସୋୟମ୍‌ ବନଖଣ୍ଡ ଅଧୀନ ବିନସର ବନ୍ୟଜୀବ ବିହାରରେ ଜୁନ୍‌ ୧୨ ତାରିଖ ଦ୍ୱିପ୍ରହରରେ ଏହି ଘଟଣା ଘଟିଥିଲା । ଖବର ପାଇ ବନକର୍ମୀମାନେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Leave A Reply

Your email address will not be published.