ସମୟ ସିନା ବଦଳିଛି ହେଲେ ସେମିତି ଅବିଚଳିତ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ । ୨୪ ବର୍ଷର କ୍ଷମତା ଚାଲି ଯାଇଥିବା ଭଳି କୌଣସି ଭାବ ନଥିଲା ମୁହଁରେ । ନିଜର ବ୍ୟକ୍ତିତ୍ୱ ଯୋଗୁଁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରଥିଲେ । ସାରା ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଥିଲେ । ହୁଏତ ଷଷ୍ଠ ଥର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରି ନାହାନ୍ତି କିନ୍ତୁ ତାଙ୍କ ଉପସ୍ଥିତି ଆଜି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଶପଥ ଗ୍ରହଣ ଉତ୍ସବରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଥିଲା । ସେ ଜନତା ମଇଦାନର ମଞ୍ଚକୁ ଆସିବା ପରେ ଉପସ୍ଥିତ ସମସ୍ତ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ନମସ୍କାର କରି ସମ୍ମାନ ଜଣାଇଥିଲେ । ଯାହା ସ୍ପଷ୍ଟ କରୁଥିଲା କେନ୍ଦ୍ରରେ ତାଙ୍କୁ କେତେ ମର୍ଯ୍ୟାଦା ଦିଅନ୍ତି ଜାତୀୟ ନେତୃବର୍ଗ ।

ସେ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ରାଷ୍ଟ୍ରୀୟ ନେତା ଭାବେ ତାଙ୍କୁ ଗ୍ରହଣ କରନ୍ତି ଜାତୀୟ ଦଳମାନେ । ସେ ଜେପି ନଡ୍ଡା ହୁଅନ୍ତୁ ଅଥବା ରାଜନାଥ ସିଂହ, ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନ ସମସ୍ତେ ତାଙ୍କୁ ଆଦର ସମ୍ମାନ ପ୍ରଦର୍ଶନ କରିଥିଲେ ମଞ୍ଚ ଉପରେ । ସେ ମଧ୍ୟ ସ୍ୱାଭାବିକ ଭାବେ ନିଜ ଢଙ୍ଗରେ ବସି ରହିଥିଲେ । ଅସୁସ୍ଥତାର କୌଣସି ସାମାନ୍ୟ ଲକ୍ଷଣ ଦେଖା ଯାଉନଥିଲା । ପୂରା ଫିଟ୍‌ ଥିଲେ । ଆହୁରି ମଧ୍ୟ ମୁହଁରେ ଥିଲା ସବୁ ସମୟର ସେହି ସ୍ଥିତପ୍ରଜ୍ଞ ଭାବ । ବିଜୟ, ପରାଜୟ ସବୁ କିଛି ଯେମିତି ତାଙ୍କ ପାଇଁ ସମାନ ସ୍ଥିତି । ମନ୍ତ୍ରୀମାନଙ୍କ ଶପଥପାଠ ପରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ନବୀନଙ୍କୁ ଭେଟିଥିଲେ । କିଛି ସମୟ କଥା ମଧ୍ୟ ହୋଇଥିଲେ ।

ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ବିରୋଧୀମାନେ ଅନେକ କଟକଥା କହିଥିଲେ ନବୀନ ପଟ୍ଟନାୟକଙ୍କ ବାବଦରେ । ସିଧାସଳଖ ସମାଲୋଚନା ଓ ଆକ୍ଷେପ କରିଥିଲେ । ହେଲେ ନବୀନଙ୍କ ଦୁଇ ଧାଡ଼ିର ଜବାବ ଥିଲା ସେତେବେଳେ … ବିରୋଧୀ ଦଳ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହା ବ୍ୟତୀତ କାହାକୁ ବି ସେ ଆକ୍ଷେପ କରି କିଛି କହି ନାହାନ୍ତି । ଯାହା ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ, ଚରିତ୍ରର ପରିଚୟ । ବିଜେପିର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦଳର ଦୁଇ ବରିଷ୍ଠ ନେତା ସୁରେଶ ପୂଜାରୀ ଏବଂ ମନମୋହନ ସାମଲ ନବୀନ ନିବାସ ଯାଇ ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ । ଆଜି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ ଭୋଟିଥିଲେ ଏଇ ମହାନ୍‌ ବ୍ୟକ୍ତିତ୍ୱଙ୍କୁ । ତାଙ୍କୁ କଥା ଦେଇଥିଲେ ନବୀନ ନିଶ୍ଚୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । କାହାର ସାହାରା ନନେଇ ନିଜେ ଆସିଥିଲେ ଠିକ୍‌ ସମୟରେ । ମଞ୍ଚରେ ବସି ରହିଥିଲେ ଆରମ୍ଭରୁ ଶେଷ ଯାଏ । ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ମିସ୍‌ କରୁଛନ୍ତି ସାରା ଓଡ଼ିଶାବାସୀ । ଏବେବି ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ମୁଖ୍ୟମନ୍ତ୍ରୀ ଭଳି ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ । ଯାହାଙ୍କୁ ଝୁରୁଛନ୍ତି ପିଲାଠାରୁ ବୁଢ଼ା ସମସ୍ତେ ।

Leave A Reply

Your email address will not be published.