ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବ। କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଅଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଅଭିଜ୍ଞ ଓ ବରିଷ୍ଠ ନେତା। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୯ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି।

ସେ କୁଚିଣ୍ଡାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହେଲେଣି। ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୪ ଓ ୨୦୧୪ ପରେ ୨୦୨୪ରେ ଚତୁର୍ଥ ଥର ବିଧାୟକ ହୋଇଛନ୍ତି। ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ କ୍ୟାବିନେଟ ଟିମ୍ ରେ ରଖିଛନ୍ତି ମୋହନ ମାଝୀ। ସେ ଦୁଇ ଥର ନିର୍ବାଚିତ ହେଲେଣି। ୨୦୧୯ରେ ପ୍ରଥମ ଥର ବିଧାୟକ ହୋଇଥିଲେ।  ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଥରର ବିଧାୟକ। ୨୦୦୦ ମସିହାରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ଏହା ପରଠାରୁ ନିର୍ବାଚନ ଲଢ଼ି ଆସୁଥିଲେ। ବଲାଙ୍ଗିର ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ସେ ୨୦୧୯ ପରେ ୨୦୨୪ରେ ଦ୍ବିତୀୟ ଥର ପାଇଁ ଜିତିଛନ୍ତି ନିର୍ବାଚନ। ଜୀବ ବିଜ୍ଞାନରେ ଗବେଷଣା କରି ଡକ୍ଟରେଟ୍ ଉପାଧି ପାଇଛନ୍ତି।

ଚାକିରି ଛାଡ଼ି ୨୦୧୯ରେ ରାଜନୀତିକୁ ଆସିଥିଲେ। ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ସେ ୨୦୦୯ରୁ ବିଜେପିରୁ ଲଗାତର ଲଢି ଆସୁଥିଲେ। ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି।  ସେହିପରି ମୟୂରଭଞ୍ଜର ମୋରଡ଼ା ବିଧାୟକ କୃଷ୍ଣ ଚନ୍ଦ୍ର ମହାପାତ୍ର ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ। ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଜଣେ ଦକ୍ଷ ସଂଗଠକ। ୨ ଥର ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଦାୟିତ୍ବ ତୁଲାଇଛନ୍ତି।

ସେହିପରି ୫ ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା। ଏହି ତାଲିକାରେ ଅଛନ୍ତି ମୟୂରଭଞ୍ଜ ଯଶୀପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ। ଯଶୀପୁର ଆସନରୁ ଦୁଇ ଥରର ବିଧାୟକ । ୨୦୧୯ରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରମନ୍ତ୍ରୀ ତାଲିକାରେ ଭଦ୍ରକ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୨୦୨୨ ଉପରନିର୍ବାଚନ ଜିତିଥିଲେ। ୨୦୨୨ ପୂର୍ବରୁ ଧାମନଗର ବିଜେପି ଆଇଟି ସେଲ୍ ଦାୟିତ୍ବରେ ଥିଲେ।  ଯାଜପୁର ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତଙ୍କୁ ମନ୍ତ୍ରୀ ପଦ ମିଳିଛି। ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।  ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ୨୦୧୪ରୁ ନିର୍ବାଚନ ଲଢ଼ି ଆସୁଥିଲେ।

ସେହିପରି ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମିଳିଛି। ସେ ପ୍ରଥମ ଥର ପାଇଁ ବିଜୟୀ ହୋଇଛନ୍ତି। ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ମନ୍ତ୍ରିମଣ୍ଡଳରେ ମିଳିଛି ସ୍ଥାନ। ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ଅଧିକାଂଶ ବିଧାୟକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.