ଛତିଶଗଡ଼: ନାରାୟଣପୁରରେ ପୋଲିସ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିପାତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । କୁତୁଲ ଏବଂ ଅବୁଝମାଡ଼ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ୮ ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ଗୁଳି ବିନିମୟ ଜାରି ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ଜବତ କରାଯାଇଛି । ITBP ଏବଂ DRG ଯବାନଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଗୁଳି ବିନିମୟରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ନାରାୟଣପୁରର ଅବୁଝମାଡ଼ ଅଞ୍ଚଳର କୁତୁଲ, ଫରସାବେଡା ଓ କୋଡ଼ତାମେଟା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅବୁଝମାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ଏ ପର୍ଯ୍ୟନ୍ତ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ଯେତେବେଳେ କି, ଡ୍ୟୁଟି ବେଳେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଯବାନ ଆହତ ହୋଇଛନ୍ତି ।

ଅଧିକାରୀଙ୍କ ମୁତାବକ, ଜୁନ୍‌ ୧୨ରୁ ଜିଲ୍ଲାର ଅବୁଝମାଡ଼ସ୍ଥିତ କୁତୁଲ, ଫରସାବେଡ଼ା ଓ କୋଡ଼ତାମେଟା ଗାଁର ଜଙ୍ଗଲରେ ମାଓ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଥିଲା । ଆଜି ସକାଳୁ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗତ ଦୁଇ ଦିନ ଭିତରେ ଅନେକ ଥର ଗୁଳି ବିନିମୟ ହୋଇଛି, ଯବାନମାନେ ଏହାର ପାଲଟା ଜବାବ ଦେଇଛନ୍ତି ।

ସେପଟେ ଛତିଶଗଡ଼ର ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ପୃଥକ୍‌ ବିସ୍ଫୋରଣ ଘଟଣାରେ ସୁରକ୍ଷା ବାହିନୀର ୩ ଜଣ ଯବାନ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି । ଖବର ମୁତାବକ, ବସ୍ତର ଅଞ୍ଚଳରେ ବାରୁଦ ସୁଡ଼ଙ୍ଗରେ ବିସ୍ଫୋରଣ ଘଟି ୨ ଯବାନ ଆହତ ହୋଇଛନ୍ତି । ଏହିପରି ବିଜାପୁରରେ ପ୍ରେସର ବୋମା ବିସ୍ଫୋରଣରେ ଅନ୍ୟ ଜଣେ ଯବାନ ଆହତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.