୯୪ କୋଟିର ଚୂନ ଲଗାଇଲେ ସାଇବର କ୍ରିମିନାଲ, ଠକେଇର ଶିକାର ପୁଣେର କସ୍ମସ୍ ବ୍ୟାଙ୍କ୍

ପୁଣେ : ବ୍ୟାଙ୍କରୁ ସାଇବର ଅପରାଧୀ ଲୁଟି ନେଲେ ୯୦ କୋଟିରୁ ଅଧିକ ଟଙ୍କା । ପୁଣେ ସ୍ଥିତ ପୁରାତନ କସ୍ମସ୍ କୋଅପରେଟିଭ୍ ବ୍ୟାଙ୍କରେ ହୋଇଛି ଏହି ସାଇବର ଠକେଇ । ଗତ ଅଗଷ୍ଟ ୧୧ରୁ ୧୩ ତାରିଖ ମଧ୍ୟରେ ପ୍ରାୟ ୯୪ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଗଣେଶଖିଣ୍ଡ ରୋଡ ମଧ୍ୟରେ ଥିବା କସମସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ସାଇବର ଅପରାଧି ବ୍ୟାଙ୍କ୍ ସର୍ଭରକୁ ହ୍ୟାକ୍ କରି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଗତ ସୋମବାର ବିଳମ୍ବିତ ରାତ୍ରିରେ ଏହି ବଡ ଠକେଇ ସମ୍ପର୍କରେ ସୁହାସ ଗୋଖଲେ ନାମକ ବ୍ୟାଙ୍କ କର୍ମଚାରୀ ପୋଲିସ୍କୁ ସୂଚନା ଦେଇଥିଲେ ।
ଅଭିଯୋଗ ଅନୁସାରେ ଅଗଷ୍ଟ ୧୧ ତାରିଖରେ ସାଇବର ଠକ ବ୍ୟାଙ୍କ୍ର ଭିସା ଏବଂ ରୁପେ କାର୍ଡ ଗ୍ରାହକଙ୍କ ତଥ୍ୟ ଚୋରି କରି ନେବା ପରେ ଏଟିଏମ୍ ସର୍ଭର ଉପରେ ମାଲେଓ୍ଵର ଆଟାକ୍ କରି ପ୍ରାୟ ୮୦ କୋଟି ଟଙ୍କା ଲୁଟି ନେଇଛନ୍ତି । ୧୪, ୮୪୯ଟି ଟ୍ରାଞ୍ଜାକସନ୍ ଜରିଆରେ ଏହି ଠକେଇ ହୋଇଛି । ବ୍ୟାଙ୍କ୍ ଅଫିସରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୩ ତାରିଖରେ ୧୩.୯୪ କୋଟି ଟଙ୍କା ହଙ୍ଗ୍କଙ୍ଗର ଏକ ବ୍ୟାଙ୍କ୍କୁ ଟ୍ରାନ୍ସଫର୍ କରାଯାଇଛି । ପୋଲିସ୍ ଘଟଣାରର ତଦନ୍ତ କରୁଛି ।
ଏହି ସାଇବର ଠକେଇ କାନାଡ଼ାରୁ ହୋଇଥିବା ଜଣାପଡିଛି । କୋଅପରେଟିଭ୍ ବ୍ୟାଙ୍କ୍ର ନିର୍ଦ୍ଦେଶକ କ୍ରିଷ୍ଣ କୁମାର ଗୋଏଲ୍ ଗଣମାଧ୍ୟମକୁ କହିଛନ୍ତି, ପୋଲିସ୍ ସମେତ ଏନ୍ପିସିଆଇର ସହାୟତା ମଧ୍ୟ ନେଇଛୁ । ତେବେ ଏଥିରେ ଗ୍ରାହକଙ୍କର କୌଣସି ପ୍ରକାର ଅସୁବିଧାର ହେବା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।