Below header

ପୁଣି ଖୋଲିବ କି କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ, ଏସ୍‌ଆଇଟି ଗଠନ ପାଇଁ ଦାବି

କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ତିଆରି ହୋଇଥିବା ଫିଲ୍ମ ‘କଶ୍ମୀର ଫାଇଲ’ ଦେଖିବା ପରେ ଅନେକ ମହଲରେ ତର୍କ ବିତର୍କ ତୀବ୍ର ହୋଇଛି। କିଛି ସପକ୍ଷରେ ତ ଆଉ କିଛି ବିପକ୍ଷରେ ମତ ଦେଉଛନ୍ତି । ଏହାରି ଭିତରେ ଜଣେ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖିଥିବା ଜଣାପଡ଼ିଛି। ଯେଉଁଥିରେ କଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ଫାଇଲ୍‌କୁ ପୁଣିଥରେ ଖୋଲିବାକୁ ଚାହୁଁଛନ୍ତି । କଶ୍ମୀର ଉପତ୍ୟକାରେ ହତ୍ୟା ଘଟଣାର ପୁଣି ଥରେ ଅନୁସନ୍ଧାନ କରିବାକୁ କହିଛନ୍ତି। କାରଣ ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ ଏବେବି ନ୍ୟାୟ ପାଇ ନାହାନ୍ତି ସେହି ବର୍ବରତାର ଶିକାର ହୋଇଥିବା ଲୋକେ ।
ସେଥିପାଇଁ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଦିଲ୍ଲୀ ଆଇନଜୀବୀ ତଥା ସମାଜସେବୀ ଭିନୀତ ଜିନ୍ଦଲ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି।

ସେହି ଚିଠିରେ ୧୯୮୯ରୁ ୧୯୯୦ ମସିହା ଭିତରେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରି ଯେଉଁ ଭୟଙ୍କର ନରସଂହାର କରିଥିଲେ ସେହି ମାମଲାକୁ ପୁଣିଥରେ ଖୋଲିବାକୁ କୁହାଯାଇଛି । ଏହାର ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରିବାକୁ ଦାବି କରିଛନ୍ତି। ଜିନ୍ଦଲ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ଯେ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକର ସଠିକ୍ ଭାବେ ଅନୁସନ୍ଧାନ କରିବା ଉଚିତ ଏବଂ ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ ମିଳିବା ଦରକାର। କାରଣ ଦାବି ହୋଇ ଆସୁଥିଲେ ମଧ୍ୟ ସେହି ସମୟରୁ ଏଯାଏ ପୀଡିତମାନଙ୍କୁ ନ୍ୟାୟ ମିଳି ପାରି ନାହିଁ।

ଓକିଲ ଜଣକ ଯୁକ୍ତି କରିଛନ୍ତି କି ଯଦି ୩୩ ବର୍ଷ ପୂର୍ବେ ଶିଖ୍ ବିରୋଧୀ ଦଙ୍ଗା ମାମଲାକୁ ପୁଣି ଥରେ ଖୋଲା ଯାଇ ରାୟ ପ୍ରଦାନ କରାଯାଇଛି ତେବେ ୨୭ ବର୍ଷ ପୂର୍ବେ ଘଟିଥିବା କଶ୍ମୀର ପଣ୍ଡିତଙ୍କ ମାମଲାକୁ କାହିଁକି ଖୋଲା ଯାଇ ପାରିବନି ? ଜିନ୍ଦଲ ଚିଠିରେ ଏହା ମଧ୍ୟ କହିଛନ୍ତି ଯେ ଏହି ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଶାରୀରିକ ତଥା ମାନସିକ ଭାବେ ଆଘାତ ପାଇଥିଲେ । ପରିବାର ଲୋକେ ନିଜ ବାସସ୍ଥାନ ଛାଡ଼ି ଶରଣାର୍ଥୀ ଭଳି ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଲେ । ଗତ କିଛି ବର୍ଷ ଧରି ସେମାନଙ୍କ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଘଟଣା ଘଟିବା ପରେ ପରେ ସେମାନେ ଅଭିଯୋଗ କରିବାର ସ୍ଥିତିରେ ନଥିଲେ। ସେଥିପାଇଁ ଏଯାଏ ନ୍ୟାୟ ପାଇ ପାରି ନାହାନ୍ତି।

ପୀଡ଼ିତଙ୍କ ପାଇଁ ନ୍ୟାୟ ମାଗୁଥିବା ଓକିଲ ଜିନ୍ଦଲ ଯୁକ୍ତି କରି କହିଛନ୍ତି ଯେ ପୂର୍ବରୁ କୁହା ଯାଉଥିଲା କି ନ୍ୟାୟର ଦାୟିତ୍ୱ ଖାସ କରି ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ପାଖରେ ହିଁ ରହିଛି। ଯେଉଁମାନେ କି ହତ୍ୟାକାଣ୍ଡ ଏବଂ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କିଛି ବି ଜାଣିନାହାନ୍ତି। ଏପରିସ୍ଥିତିରେ ବର୍ତ୍ତମାନ କଶ୍ମୀର ପଣ୍ଡିତଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାର ଏବଂ ସମ୍ପୃକ୍ତ ଅଧିକାରୀମାନେ ଆଉ ଥରେ ଉଦ୍ୟମ କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.