କରୋନା ପରେ ମାଡି ଆସିଲା ଆଉ ଏକ ବିପଦ, ଦେଶରେ ଡେଙ୍ଗୁର ନୂଆ ଭାରିଆଣ୍ଟ DENV 2 ଚିହ୍ନଟ

ଦେଶର ୧୧ ଟି ରାଜ୍ୟରେ ଡେଙ୍ଗୁର ଏକ ନୂତନ ଭାରିଆଣ୍ଟ ଚିହ୍ନଟ କରାଯାଇଛି, ଯାହା ବର୍ତ୍ତମାନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯଦିଓ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ଅଛି, ତଥାପି ଏହାର ନୂତନ ଭାରିଆଣ୍ଟ ଡେଙ୍ଗୁ DENV 2 ର ଅନେକ ମାମଲା ସମ୍ନାକୁ ଆସିଛି । ଡେଙ୍ଗୁର ଅନେକ ଭାରିଆଣ୍ଟ DENV-1, DENV-2, DENV-3 , DENV-4 ମଧ୍ୟରୁ DENV 2 ଓ D2 ସବୁଠାରୁ ଅଧିକ ମାରାତ୍ମକ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭଗର୍ଭ କହିଛନ୍ତି ଯେ ଏହି ପ୍ରକାର ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ। ତାଙ୍କ କହିବାନୁସାରେ,ଉତ୍ତର ପଶ୍ଚିମ ଉତ୍ତରପ୍ରଦେଶର ଫିରୋଜାବାଦ, ଆଗ୍ରା, ମଥୁରା ଏବଂ ଆଲିଗଡ ଜିଲ୍ଲାରେ DENV 2 ଭାରିଆଣ୍ଟରେ ଶିକାର ହୋଇ ଅଧିକାଂଶ ଲୋକ ମୃତ୍ୟୁ ବରଣ କରିଛନ୍ତି । ସୋମବାର ଦିନ ଆଗ୍ରାରେ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ମେନପୁରୀ ଏବଂ ଫିରୋଜାବାଦରେ ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଫିରୋଜାବାଦରେ ଦେଢ଼ ମାସରୁ ଅଧିକ ସମୟ ଧରି ଜ୍ୱର ହେଉଛି । ସୋମବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦୨ ରେ ପହଞ୍ଚିଛି।

ଅନ୍ୟପଟେ SN ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ୧୩ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଆଗ୍ରାର ୬ ଜଣ, ଫିରୋଜାବାଦର ତିନିଜଣ, ଏବଂ ମେନ୍ପୁରୀରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ଆଲିଗଡ, ହାଥରସ , ମଥୁରା ଏବଂ ଏଟାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।ନୂତନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ତାମିଲନାଡୁର ସ୍ୱାସ୍ଥ୍ୟ ଅଧିକାରୀ ଚେନ୍ନାଇର ସ୍ଥାନୀୟ ଲୋକଙ୍କୁ ଡେଙ୍ଗୁ ବିରୋଧରେ ସଜାଗ ରହିବାକୁ ଚେତାବନୀ ଦେଇଛନ୍ତି। ଦୁଇ ମାସ ମଧ୍ୟରେ, ଏଠାରେ ୨୦୦ ଡେଙ୍ଗୁ ରୋଗ ସାମ୍ନାକୁ ଆସିଥିଲା ।

ସେହିପରି କର୍ଣ୍ଣାଟକର କାଲାବୁରାଗିରେ ଡେଙ୍ଗୁ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା । ଏଠାରେ ନିଗମ କମିଶନର ସ୍ନେହାଲ ଏସ ଲୋଖଣ୍ଡେ କହିଛନ୍ତି, ମୌସୁମୀ ଆରମ୍ଭରୁ ଏଥି ପ୍ରତି ଦୃଷ୍ଟି ଦିଆଯାଉଛି । ଏଥି ସହିତ ଚିକୁଙ୍ଗୁନିଆ, ଡେଙ୍ଗୁ ଏବଂ ଭାଇରାଲ୍ ଜ୍ୱର ବିଷୟରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.