ଇଭିଓଏମ୍ ହ୍ୟାକିଂ ନେଇ ବଡ଼ ଖୁଲ୍ଲାସା, ଲାଇଭ୍ ଡେମୋ ପ୍ରସ୍ତୁତ କରିଛନ୍ତି ଆମେରିକୀୟ ହ୍ୟାକର

ୟୁରୋପ : ଇଭିଓଏମ୍ ହ୍ୟାକିଂ ନେଇ ବଡ଼ ଖୁଲ୍ଲାସା। ଇଭିଏମକୁ ହ୍ୟାକ କରାଯାଇପାରିବ । ଏଭଳି ଦାବି କରିଛନ୍ତି ଆମେରିକୀୟ ହ୍ୟାକର। ଲଣ୍ଡନରେ ଏକ କାର‌୍ୟ୍ୟକ୍ରମରେ ଇଭିଏମ ହ୍ୟାକିଂ ନେଇ ଲାଇଭ୍ ଡେମୋ କରାଯାଇଛି। ୟୁରୋପରେ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଏହାକୁ ପ୍ରଦର୍ଶନ କରାଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ଇଭିଏମ ହ୍ୟାକିଂ କରାଯାଇ ଫଳାଫଳ ପରିବର୍ତ୍ତନ କରାଯାଇଥିଲା ବୋଲି ସୟଦ ସୁଜା ନାମକ ଜଣେ ହ୍ୟାକର କହିଛନ୍ତି।

ବରିଷ୍ଠ ବିଜେପି ନେତା ଗୋପୀନାଥ ମୁଣ୍ଡେ ଏନେଇ ଅବଗତ ଥିଲେ ଓ ସେଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦାବି କରିଛନ୍ତି। ଆହୁରି କହିଛନ୍ତି, ଅନେକ ରାଜନୈତିକ ଦଳ ମଧ୍ୟ ତାଙ୍କ ସହ ସଂପର୍କରେ ଥିଲେ । ତେବେ ସୟଦଙ୍କ ସଂପର୍କରେ ଅଧିକ କୌଣସି ତଥ୍ୟ ମିଳିପାରିନାହିଁ। ସେପଟେ ନିର୍ବାଚନରେ ବ୍ୟବହୃତ ଇଭିଏମ ହ୍ୟାକପ୍ରୁଫ ବୋଲି କହିଛନ୍ତି ଭାରତୀୟ ନିର୍ବାଚନ କମିସନ। ଲଣ୍ଡନରେ ଏଭଳି ଡେମୋ କରାଯାଇ କମିସନଙ୍କ ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଥିବା କହିଛନ୍ତି।

ଆୟୋଜକଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଥିବା କୁହାଯାଇଛି। ୧୨୦ରୁ ଅଧିକ ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେଉଥିବା ବେଳେ ମାତ୍ର ୨୫ଟି ଦେଶରେ ଇଭିଏମ ଜରିଆରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ। ବିପକ୍ଷରେ ଥିବା ବେଳେ ବିଜେପି ମଧ୍ୟ ଇଭିଏମର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଥିଲା।