ହଳଦୀ ଉତ୍ସବ ପରେ ଗାଧୋଇବାକୁ ଯାଇଥିଲେ ମହିଳା କନଷ୍ଟେବଳ; ବାଥ୍‌ରୁମରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ!

ଉତ୍ତର ପ୍ରଦେଶର ମେରଠରେ ବିବାହର ଦୁଇ ଦିନ ପୂର୍ବରୁ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ବାଥ୍‌ରୁମରୁ ମିଳିଛି। ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ମହିଳା କନଷ୍ଟେବଳଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା ଏବଂ ସେ ହଳଦୀ ଉତ୍ସବ ପରେ ବାଥ୍‌ରୁମକୁ ଗାଧୋଇବାକୁ ଯାଇଥିଲେ। ଦୀର୍ଘ ସମୟ ଧରି ନ ବାହାରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ତୁରନ୍ତ ସେମାନେ ବାଥରୁମ୍‌ର କବାଟ ଭାଙ୍ଗି ଦେଖିବାରୁ ମହିଳା କନଷ୍ଟେବଳ ଜଣକ ଚଟାଣ ଉପରେ ପଡ଼ିଥିଲେ।

ଏହାପରେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମିଳିଥିବା ସୂଚନା ମୁତାବକ, ମୃତା ଯୁବତୀ ହେଲେ ଗୀତା ତାଲିୟାନ। ସେ ୨୦୧୧ରେ ୟୁପି ପୋଲିସରେ କନଷ୍ଟେବଳ ପଦରେ ନିଯୁକ୍ତି ପାଇଥିଲେ। ସେ ମୁଜାଫରନଗରରେ ଡ୍ୟୁଟିରେ ଥିଲେ।

ସୂଚନା ଅନୁସାରେ, ୭ ଫେବୃୟାରୀରେ ଗୀତାଙ୍କ ବାହାଘର ଥିଲା। ବର ବୁଲନ୍ଦ ସହରର ଗୁଲାଓ୍ଵଠିରୁ ଆସିବାର ଥିଲା। ହେଲେ ତା’ ପୂର୍ବରୁ ରବିବାର ଦ୍ୱିପ୍ରହରରେ ହଳଦୀ ଉତ୍ସବ ପରେ ଗୀତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏପଟେ କନ୍ୟାର ମୃତ୍ୟୁରେ ଘରେ ଦୁଃଖର ବାତାବରଣ ଖେଳିଯାଇଛି। ବିବାହର ଖସି ବିଷାଦରେ ଭରି ଯାଇଛି।

କୁହାଯାଉଛି ଯେ ଗୀତାଙ୍କର ଭାବି ସ୍ୱାମୀ ବି ଜଣେ ପୋଲିସ କନଷ୍ଟେବଳ। କନ୍ୟାର ମୃତ୍ୟୁ ଖବର ପୁଅଘର ଲୋକଙ୍କୁ ମଧ୍ୟ ଦିଆଯାଇଥିଲା ଏବଂ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଏହି ମାମଲାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.