Below header

ଦିଲ୍ଲୀ: ତିସ୍‌ ହଜାରି କୋର୍ଟ ବାହାରେ ଫୁଟିଲା ଗୁଳି, ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଦିଲ୍ଲୀର ତିସ୍‌ ହଜାରି କୋର୍ଟ ବାହାରେ ବୁଧବାର ଗୁଳି ଫୁଟିଛି। ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି।

ଦିଲ୍ଲୀର ତିସ୍‌ ହଜାରି କୋର୍ଟ ବାହାରେ ବୁଧବାର ଗୁଳି ଫୁଟିଛି। ଓକିଲଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ କହିଛି। ଯଦିଓ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଗୁଳିକାଣ୍ଡ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

ଖବରରୁ ଜଣାପଡ଼ିଛି ଯେ ଓକିଲଙ୍କ ମଧ୍ୟରେ କିଛି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହାପରେ ଜଣେ ଓକିଲ ଫାଙ୍କା ଗୁଳିଚାଳନା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଓକିଲମାନେ ଏକ ସଂକୀର୍ଣ୍ଣ ଗଳି ରାସ୍ତା ଦେଇ ଯାଉଥିବା ଦେଖିବାକୁ ମିଳୁଛି। ରାସ୍ତାର ଛକ ନିକଟରେ ଓକିଲମାନଙ୍କର ଭିଡ଼ ଜମିଛି। ସେହି ସମୟରେ ଭିଡ଼ ଭିତରୁ କେହି ଜଣେ ହାତରେ ପିସ୍ତଲ ଉଠାଇଥିବା ଦେଖାଯାଉଛି। ଗୁଳି ଚଳାଇବା ପରେ ବ୍ୟକ୍ତି ଜଣକ ପଛକୁ ଚାଲି ଯାଉଛନ୍ତି।

ଭିଡିଓ ଦେଖିବା ପରେ ଲାଗୁଛି, ଯେପରି ସମସ୍ତ ଓକିଲ ପରସ୍ପରକୁ ବହୁତ ଭଲ ଭାବରେ ଜାଣିଛନ୍ତି। କାରଣ, ଫାଙ୍କା ଗୁଳିଚାଳନା ବେଳେ କେହି ବି ଭୟଭୀତ ହୋଇ ଏଣେତେଣେ ଦୌଡ଼ୁ ନାହାନ୍ତି।

ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ ଓକିଲଙ୍କର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଯେତେବେଳେ ଯୁକ୍ତିତର୍କ ବଢ଼ିଥିଲା, ଜଣେ ଓକିଲ ପିସ୍ତଲ ଉଠାଇ ଆକାଶକୁ ଫାଙ୍କା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ କେହି ଆହତ ହୋଇଥିବା ନେଇ ସୂଚନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.