ପୁଣି କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଲେ କେନ୍ଦ୍ର ସରକାର, କାଲି ସୁଦ୍ଧା EPFO ଆକାଉଣ୍ଟରେ ଜମା ହେବ ଏତିକି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷରେ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଦେଲେ ବଡଖବର। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଉପରେ ୮.୫% ସୁଧ ଦେବାକୁ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏହା ପୁଣି ଆସନ୍ତାକାଲି ଅର୍ଥାତ ୩୧ ଡିସେମ୍ବର ୨୦୨୦ ସୁଦ୍ଧା ଏହି ପରିମାଣର ସୁଧ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ।
ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ EPFOକୁ ଗୋଟିଏ ଥର ୮.୫% ସୁଧ ଦେବାକୁ ଅର୍ଥ ମନ୍ତ୍ରଣାଳୟ ତରଫରୁ ଅନୁମତି ଦିଆଯାଇଛି। ସୁଧ ହାର ସହ ଜଡିତ ପ୍ରସ୍ତାବ ଉପରେ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ଏହି ସପ୍ତାହରେ ବୈଠକ କରିଛି। ଅର୍ଥ ମନ୍ତ୍ରଣାଳୟ ବିପଦପୂର୍ଣ୍ଣ ନିବେଶ ଉପରେ କିଛି ଚିନ୍ତା ପ୍ରକଟ କରିଥଲେ ଏବଂ ସବିଶେଷ ତଥ୍ୟ ଖୋଜିଥିଲା।
ଚଳିତ ବର୍ଷ ମାର୍ଚ୍ଚରେ, EPFO କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ EPF ଉପରେ ୮.୫% ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା । ପରେ ସେପ୍ଟେମ୍ବରରେ କରୋନା ମାହାମାରୀ ଦ୍ବାରା ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ କିସ୍ତିରେ ୮.୫% ସୁଧ ଦେବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। EPFO ପ୍ରସ୍ତାବରେ କହିଥିଲା ଯେ ୮.୧୫% କିସ୍ତି ତୁରନ୍ତ ୬ କୋଟି କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହେବା ଉଚିତ ଏବଂ ଅବଶିଷ୍ଟ ୦.୩୫% ଡିସେମ୍ବର ୩୧ ପୂର୍ବରୁ ଜମା କରାଯିବା ଉଚିତ୍।