କରୋନା ପାଇଁ ସରକାରଙ୍କ କଡା ନିୟମ, ଘରୁ ବାହାରିଲେ ୨୫,୦୦୦ ଟଙ୍କା ଜରିମାନା

କରୋନା କବଳରେ ସାରା ବିଶ୍ଵ । ଗତ ଶୁକ୍ରବାର ଇଟାଲୀରେ ଏହି ଭାଇରସ କାରଣରୁ ପ୍ରାୟ ୨୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଦେଶରେ ଗୋଟେ ଦିନରେ ହେଉଥିବା ମୃତ୍ୟୁ ମଧ୍ୟରେ ଏହା ହେଉଛି ସର୍ବାଧିକ । ଗତ ୨୪ ଘଣ୍ଟା ମଧ୍ୟରେ ୨୫୦ ମୃତ୍ୟୁ ମାମଲା ଦେଖିବାକୁ ମିଳିଛି ଯାହାଦ୍ୱାରା ମୃତକଙ୍କ ସଂଖ୍ୟା ୧୨୬୬ରେ ପହଂଚିଛି । ଏହାସହିତ ଦେଶରେ କରୋନା ସଂକ୍ରମଣ ୧୭,୬୬୦ ଛୁଇଁଛି ।

ଇଟାଲୀରେ ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାକାର ଏକ ସରକାର କଡା ପଦକ୍ଷେପ ନେଇଛନ୍ତି । ତାହା ହେଉଛି ବିନା କାରଣରୁ ଘରୁ ବାହାରିଲେ ୩୦୦ ୟୁରୋ ବା ୨୫୦୦୦ ଟଙ୍କାର ଜରିମାନା । ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ ଇଟାଲୀର ଲୋକ କେବଳ କ୍ଷୀର, ମେଡ଼ିସିନ ଏବଂ ଔଷଧ ଆଣିବାକୁ ବାହାରକୁ ବାହାରିପାରିବେ । ଏଥିପାଇଁ ମଧ୍ୟ ଲୋକଙ୍କୁ ଏକ ଫର୍ମ ପୁରଣ କରି ଯିବାକୁ ପଡିବ । ଯେଉଁଥିରେ ଜଣେ କେଉଁଠିକି ଯାଉଛି ଏବଂ କାହିଁକି ଯାଉଛି ସେ ବିଷୟରେ ମଧ୍ୟ ଲେଖିବାକୁ ପଡିବ ।

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୨ଟି ଦେଶରେ ପହଂଚି ସାରିଛି । ଏଥିରେ ମୃତ୍ୟୁସଂଖ୍ୟା ମଧ୍ୟ ୪୬୦୦ ଛୁଇଁଛି ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ବିଶ୍ଵ ମହାମାରୀ ବୋଲି ମଧ୍ୟ ଘୋଷଣା କରିସାରିଛି । ସାରା ଦୁନିଆରେ ସରକାରମାନେ କରୋନା ଭାଇରସକୁ ନେଇ ସଚେତନତା ସୃଷ୍ଟି କରାଉଛନ୍ତି । ଯାହାଦ୍ୱାରା ଏହାର ସଂକ୍ରମଣକୁ ରୋକାଯାଇପାରିବ । ତେବେ ଭାରତରେ ମଧ୍ୟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୧ ଛୁଇଁଛି ଓ ଏହାଦ୍ୱାରା ୩ ଜଣ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି ।

Leave A Reply

Your email address will not be published.