‘ଯଦି ଆତଙ୍କବାଦୀଙ୍କ ସହ ଲଢ଼ିବାକୁ ଡରୁଛ, ତା’ ହେଲେ ସେନାରେ ୩୦% ମୁସଲମାନଙ୍କୁ ଭର୍ତ୍ତି କର’; JDU ନେତାଙ୍କ ବିବାଦୀୟ ବୟାନ

ବିବାଦୀୟ ବୟାନ। JDU ନେତାଙ୍କ ବୟାନ ଏବେ ସୃଷ୍ଟି କରିଛି ବିବାଦ। ଜନତା ଦଳ ୟୁନାଇଟେଡର ପୂର୍ବତନ ଏମଏଲସି ଗୁଲାମ ରସୁଲ ବଲୟାଭି ସେନାକୁ ଗାଜର ସହିତ ତୁଳନା କରି ବିବାଦ ଘେରକୁ ଆସିଛନ୍ତି।

ଜନତା ଦଳ ୟୁନାଇଟେଡ (JDU)ର ପୂର୍ବତନ ଏମଏଲସି ଗୁଲାମ ରସୁଲ ବଲୟାଭି ସେନାକୁ ଗାଜର ସହିତ ତୁଳନା କରିବାରୁ ସୃଷ୍ଟି ହୋଇଛି ବିବାଦ। ରବିବାର ନାୱାଦାରେ ଇଦାରା-ଏ-ଶରିୟା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବଲୟାଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ଏହା କହିଛନ୍ତି।

ବଲୟାଭି କହିଛନ୍ତି ଯେ ଯଦି ସରକାରଙ୍କୁ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହଟାଇବାକୁ ଡର ଲାଗୁଛି, ତା’ ହେଲେ ସେମାନଙ୍କ ସହ ମୁକାବିଲା ପାଇଁ ସେନାରେ ୩୦% ମୁସଲମାନ ଯୁବକଙ୍କୁ ନିଯୁକ୍ତ କରିବା ଉଚିତ୍‌।

ସେ ଆହୁରି କହିଛନ୍ତି କି, ‘ମୁଁ ସଂସଦରେ ଏହା କହିଛି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହା କହିବାକୁ ଚାହିଁବି ଯେ ଲୁହାକୁ ଲୁହା କାଟିଥାଏ। ଲୁହାକୁ ଗାଜର କାଟି ପାରିବ ନାହିଁ। ଯଦି ସରକାର ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ଡରୁଛନ୍ତି, ତା’ ହେଲେ ୩୦% ମୁସଲମାନ ପିଲାଙ୍କୁ ସେନାରେ ସାମିଲ କରିବା ଉଚିତ। ଆମେ ଜାଣିଛୁ କି, ଆମକୁ ଆମ ଦେଶ ବଞ୍ଚାଇବା ପାଇଁ କ’ଣ କରିବାକୁ ହେବ’।