ଆଫଗାନିସ୍ତାନରେ ପ୍ରବଳ ଶୀତର ପ୍ରକୋପ, ଏଯାଏ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି

କେନ୍ୟୁଜ୍(ବ୍ୟୁରୋ): ବଦଳୁଛି ପାଣିପାଗ । ଆଫଗାନିସ୍ତାନରେ ପ୍ରବଳ ଶୀତର ପ୍ରକୋପ। ଦେଶରେ ତାପମାତ୍ରା ମାଇନସକୁ ଚାଲିଯାଇଛି। କେବଳ ଜାନୁଆରୀରେ ଏଯାଏ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗତ ସପ୍ତାହରେ ୮୪ଜଣଙ୍କ ଜୀବନ ଯାଇଛି। ଏପରିକି ଅଧିକ ଥଣ୍ଡା ସହିପାରୁଥିବା ଲୋମଶ ମେଣ୍ଡାଙ୍କର ବି ଜୀବନ ଯାଉଛି । ପାଖାପାଖି ୭୭ହଜାର ମେଣ୍ଡାଙ୍କର ବି ମୃତ୍ୟୁ ହୋଇଛି। ଗତ ୧୫ବର୍ଷ ଭିତରେ ଆଫଗାନିସ୍ତାନରେ ସବୁଠୁ ଅଧିକ ଶୀତ ଅନୁଭୂତ ହୋଇଛି ।

ତାପମାତ୍ରା ମାଇନସ ୩୪ ଡିଗ୍ରୀ ସେଲସିୟସ ଯାଏ ଖସିଛି। ଆଗକୁ ଆହୁରି ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ଏସିଆର ବିଭିନ୍ନ ଦେଶରେ ମଧ୍ୟ ଅସହ୍ୟ ଜାଡ଼ ଅନୁଭୂତ ହେଉଛି । ଜାପାନ, କୋରିଆ ଓ ଚୀନର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି। ସାଉଥ କୋରିଆରେ ଶୀତଲହରୀ ନେଇ ଆଲର୍ଟ ଜାରି କରାଯାଇଛି। ସେପଟେ ଆମ ଦେଶର ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଓଡ଼ିଶାରେ ଟାଇଁ ଟାଇଁ ଖରା ହେଉଛି। ମାଘ ମାସରେ ନାହିଁ ବାଘୁଆ ଶୀତ। ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି । ଏଭଳି ବଦଳୁଥିବା ପାଣିପାଗ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।

Leave A Reply

Your email address will not be published.