Below header

ବିପଦ ବେଳର ବନ୍ଧୁ ଭାରତ, ଭୂକମ୍ପ ପ୍ରଭାବିତ ତୁର୍କୀରେ ପହଞ୍ଚିଛି ଏନଡିଆରଏଫ ଟିମ

ନୂଆଦିଲ୍ଲୀ :   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଏନଡିଆରଏଫର ଦୁଇଟି ଟିମ, ତାଲିମପ୍ରାପ୍ତ ଡଗ ସ୍କ୍ୱାର୍ଡ ଓ ସମସ୍ତ ଆବଶ୍ୟକୀୟ ଉପକରଣ ସହ ଭୂକମ୍ପ ପ୍ରଭାବିତ ତୁର୍କୀରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯାଇଥିବା ଏହି ଦଳରେ ୧୦୧ ଲେଖାଏଁ କର୍ମଚାରୀ ଅଛନ୍ତି । ଏନଡିଆରଏଫ ଟିମଗୁଡିକର ନେତୃତ୍ୱ କମାଣ୍ଡାଣ୍ଟ ଶ୍ରୀ ଗୁରମିନ୍ଦର ସିଂହ କରୁଥିବା ବେଳେ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଡାକ୍ତର ଓ ପାରାମେଡିକ୍ସ ମଧ୍ୟ ଅଛନ୍ତି । ଏନଡିଆରଏଫ ଟିମ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ତୁର୍କୀର ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହାୟତା କରିବ ।

କୌଣସି ଦେଶ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହେଲେ ଭାରତ ସରକାର ତୁରନ୍ତ ସେହି ଦେଶର ସମର୍ଥନରେ ଛିଡା ହୋଇଥାନ୍ତି । ଗତ ୧୫ ବର୍ଷ ମଧ୍ୟରେ ଭାରତ ପକ୍ଷରୁ ବିଭିନ୍ନ ଦେଶରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ହୋଇଛି । ଯୁକ୍ତରାଷ୍ଟ୍ର ଆମେରିକା ୨୦୦୫ରେ ଘୂର୍ଣ୍ଣିଝଡ କ୍ୟାଟ୍ରିନା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ବାୟୁ ସେନା ଆଇଏଲ- ୭୬ ବିମାନ ଯୋଗେ ୨୫ ଟନ ରିଲିଫ ସାମଗ୍ରୀ ଯୋଗାଇ ଦେଇଥିଲା । ଏଥିରେ ୩ ହଜାର କମ୍ବଳ, ବେଡଶିଟ, ତାରପୁଲିନ ଆଦି ସାମିଲ ଥିଲା । ୨୦୦୪ ସୁନାମୀ ପ୍ରଭାବିତ ମାଳଦୀପ ପାଇଁ ଭାରତ ସରକାର ପାଞ୍ଚ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଅପରେସନ କାଷ୍ଟର ଅନ୍ତର୍ଗତ ଚାରିଟି ବିମାନ ଓ ଦୁଇଟି ଜାହାଜ ରିଲିଫ ଅଭିଯାନରେ ସାମିଲ ହୋଇଥିଲା । ବିଦ୍ୟୁତ ସଂଯୋଗ, ଯୋଗାଯୋଗ, ପାନୀୟ ଜଳ ଯୋଗାଇ ଦିଆଯିବା ସହ ବହୁ ସ୍ଥାନରେ ଡାକ୍ତରୀ କ୍ୟାମ୍ପ ସ୍ଥାପନ କରାଯାଇଥିଲା ।

ସେହିପରି ୨୦୦୪ ସୁନାମୀରେ ପ୍ରଭାବିତ ଶ୍ରୀଲଙ୍କାରେ ଉଦ୍ଧାର ଅଭିଯାନ ପାଇଁ ଭାରତ ସରକାର ଅପରେସନ ରେନବୋ ଆରମ୍ଭ କରିଥିଲେ । ପୀଡିତମାନଙ୍କୁ ଡାକ୍ତରୀ ସୁବିଧା ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ଡାକ୍ତରୀ କ୍ୟାମ୍ପ ସ୍ଥାପନ କରାଯିବା ସହ, ଔଷଧ ଓ ଟୀକା ପ୍ରଦାନ କରାଯାଇଥିଲା । ୨୦୦୮ରେ ଘୂର୍ଣ୍ଣିଝଡ ନର୍ଗିସ ଯୋଗୁଁ ମିଆଁମାରରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମ ଦେଶ ଭାବେ ଭାରତ ମିଆଁମାରକୁ ସହାୟତା ପ୍ରଦାନ କରିଥିଲା । ମିଆଁମାରକୁ ୧୨୫.୫ ଟନ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଏଥିରେ ଔଷଧ, ପୋଷାକ, ବାସନ, ପାଣି ଟାଙ୍କି, ଟେଣ୍ଟ ଓ ତାରପୁଲିନ ଆଦି ସାମିଲ ଥିଲା । ୨୦୧୧ରେ ସୁନାମୀ ଯୋଗୁଁ ଜାପାନ ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ରିଲିଫ ସାମଗ୍ରୀ ବ୍ୟତୀତ ଭାରତ ସେଠାକୁ ଏନଡିଆରଏଫ ଟିମ ପଠାଇଥିଲା । ଏହା ଭାରତର ପ୍ରଥମ ଦରିଆପାରି ଅଭିଯାନ ଥିଲା । ୨୦୧୫ରେ ନେପାଳରେ ହୋଇଥିବା ଭୟାବହ ଭୂମିକମ୍ପ ପରେ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ୧୬ଟି ଟିମ ମୁତୟନ କରାଯାଇଥିଲା । ଏହାସହିତ ଭାରତ ପକ୍ଷରୁ ନେପାଳରେ ଛଅଟି ଡାକ୍ତରୀ କ୍ୟାମ୍ପ ଖୋଲାଯାଇଥିଲା । ୧ହଜାର ଟନରୁ ଅଧିକ ରିଲିଫ ସାମଗ୍ରୀ ନେପାଳ ପଠାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.