Below header

ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୭୨୯୬ ନୂଆ ପଜିଟିଭ ଚିହ୍ନଟ

ଦେଶରେ ଦିନ କୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ ‌ । ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭ ହଜାର ୨୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୦୭ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ । ଏହାକୁ ମିଶାଇ ଏଯାବତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫ ହଜାର ପାର କରିଛି । ଦେଖିବାକୁ ଗଲେ ମୋଟ୍‌ ୧୫ ହଜାର ୩୦୧ ଜଣଙ୍କ ଜୀବନ ନେଲଣି ଏହି ମାରାତ୍ମକ ଭୁତାଣୁ । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୫ ଲକ୍ଷ ପାର କରି ଗଲାଣି । ମୋଟ ୪ ଲକ୍ଷ ୯୦ ହଜାର ୪୦୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ଟିଭ୍‌ କେସ୍‌ ଏକ ଲକ୍ଷ ୮୯ ହଜାର ୪୬୩ ରହିଥିବା ବେଳେ ସୁସ୍ଥ ହେଲେଣି ୨ ଲକ୍ଷ ୮୫ ହଜାର ୬୩୭ ଜଣ । କେବଳ ମହାରାଷ୍ଟ୍ରରେ ଏକ ଲକ୍ଷ ୪୭ ହଜାର ୭୪୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬ ହଜାର ୯୩୧ ହେଲାଣି ।

ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ୭୮୦ରେ ପହଂଚିଛି । ସେହିପରି ତାମିଲନାଡୁରେ ୭୦ ହଜାର ପାର କଲାଣି ସଂକ୍ରମଣ । ଆସନ୍ତା ଜୁଲାଇ ସୁଦ୍ଧ ଦେଶରେ ସଂକ୍ରାମିତଙ୍କ ସଂଖ୍ୟା ଦଶ ଲକ୍ଷ ପାର କରିଯିବ ବୋଲି ଆଶଙ୍କା କରାଯାଉଛି । ଏମିତିକି ଡାଟା ସମୀକ୍ଷକ ଜେମ୍ସ ବିଲସନଙ୍କ ଅନୁଯାୟୀ, ଜୁଲାଇ ୨ ସୁଦ୍ଧ କରୋନା ସଂକ୍ରାମିତଙ୍କ ସଂଖ୍ୟା ୬ ଲକ୍ଷ ଓ ଜୁଲାଇ ୮ ତାରିଖ ସୁଦ୍ଧ ୮ ଲକ୍ଷ ପାର କରିଯିବାର ଆଶଙ୍କା ରହିଛି । ଆଜି ଆମ ରାଜ୍ୟ ଓଡ଼ିଶାରେ ୨୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.