ପାଲେଷ୍ଟାଇନରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସନ୍ଦେହଜନକ ମୃତ୍ୟୁ: ଦୂତାବାସରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ : ଭାରତ ପାଇଁ ପାଲେଷ୍ଟାଇନରୁ ବହୁତ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତଙ୍କ ଦେହାନ୍ତ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନରେ ଭାରତର ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କୁ ତାଙ୍କ ଦୂତାବାସରେ ମୃତଦେହ ମିଳିଛି। ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ପାଲେଷ୍ଟାଇନର ରମଲ୍ଲାରେ ଥିବା ଭାରତୀୟ ଦୂତାବାସରେ ମୁକୁଲ ଆର୍ଯ୍ୟଙ୍କ ମୃତ୍ୟୁ ଘଟିଛି । ତେବେ ସେ କେଉଁ କାରଣରୁ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ପାଲେଷ୍ଟାଇନର ରାମଲାଲ୍ଲାରେ ଭାରତର ପ୍ରତିନିଧୀ ଶ୍ରୀ ମୁକୁଲ ଆର୍ଯ୍ୟଙ୍କ ଦେହାନ୍ତ ବିଷୟରେ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଣେ ପ୍ରତିଭାଶାଳୀ ଏବଂ ଦକ୍ଷ ଅଧିକାରୀ ଥିଲେ ବୋଲି କହିଛନ୍ତି । ମୁଁ ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି।

ସେ ୨୦୦୮ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ। ମୁକୁଲ ଆର୍ଯ୍ୟ ପୂର୍ବରୁ କାବୁଲ ଏବଂ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଥିଲେ। ତେବେ ମୁକୁଲ ଆର୍ଯ୍ୟ କେଉଁ କାରଣରୁ ପ୍ରାଣ ହରାଇଲେ ସେନେଇ ତଦନ୍ତ ଚାଲିଛି । ପାଲେଷ୍ଟାଇନ ସରକାର ମଧ୍ୟ ଏହାକୁ ମୃତ୍ୟୁକୁ ଆଶ୍ଚର୍ଯ୍ୟ ଓ ଦୁଃଖଦ କହିଛନ୍ତି । ଏପ୍ରସଙ୍ଗରେ ସେ ସମସ୍ତ ସହାୟତା ଯୋଗାଇବେ ବୋଲି ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଭାରତୀୟ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସହିତ ସରକାରୀ ଯୋଗାଯୋଗ କରୁଛନ୍ତି ଯାହାଦ୍ୱାରା ମୃତ ରାଷ୍ଟ୍ରଦୂତଙ୍କ ଶବକୁ ତାଙ୍କ ଦେଶକୁ ପରିବହନ ପାଇଁ ବ୍ୟବସ୍ଥା କରାଯାଇପାରିବ |

ପାଲେଷ୍ଟାଇନ୍ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ମୁକୁଲଙ୍କ ଦେହାନ୍ତ ଖବରରେ ରାଷ୍ଟ୍ରପତି ମହମ୍ମଦ ଅବ୍ବାସ ଓ ପ୍ରଧାନମନ୍ତ୍ରୀ ମହମ୍ମଦ ସତୟେହ ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ତଦନ୍ତ ପାଇଁ ପୋଲିସ ଓ ଫରେନ୍ସିକ୍ ଟିମ୍‌କୁ ଦାୟିତ୍ୱ ଦିଆଯାଇଛି । ଏଥିସହିତ ସରକାରୀ କର୍ମଚାରୀଙ୍କୁ ତୁରନ୍ତ ରାମଲାଲାସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ବାସଭବନକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ ମୁକୁଲ ଆର୍ଯ୍ୟଙ୍କୁ ମୃତ୍ୟୁ ବିଷୟରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଛି।