ସ୍ପାନିସ ପାରାବ୍ୟାଡ୍ମିଣ୍ଟନ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ୍, ଜିତିଲେ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକ

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ୍ । ସ୍ପେନ୍ର ଭିଟୋରିଆରେ ଆୟୋଜିତ ସ୍ପାନିସ ପାରାବ୍ୟାଡ୍ମିଣ୍ଟନ୍ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକ । ସେ ପୁରୁଷ ଏକକ ଓ ଯୁଗଳ ସାଙ୍ଗକୁ ମିଶ୍ରିତ ଯୁଗଳରେ ଏହି ସଫଳତା ହାସଲ କରିଛନ୍ତି।
ମିଳିଥିବା ସୂଚନ ମୁତାବକ ରବିବାର ଅଲିମ୍ପିକ୍ ବିଜେତା ପ୍ରମୋଦ ଏସ୍ଏଲ୍-୩ ପୁରୁଷ ଏକକ ବର୍ଗ ଫାଇନାଲ୍ରେ ନିଜ ଦେଶର ନିତେଶ କୁମାରଙ୍କୁ ୧୭-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହା ପୁର୍ବରୁ ପ୍ରମୋଦ ମିଶ୍ରିତ ଯୁଗଳରେ ମଧ୍ୟ ଏହି ସଫଳତା ହାତେଇଥିଲେ। ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ମିଶ୍ରିତ ବର୍ଗ ଫାଇନାଲ୍ରେ ଅନ୍ୟତମ ଭାରତୀୟ ଯୋଡ଼ି ଋତିକା ରଗୁପାଠୀ ଓ ମାନସୀ ଯୋଷୀଙ୍କୁ ୧୪-୨୧, ୨୧-୧୧ ଓ ୨୧-୧୪ରେ ପରାସ୍ତ କରିଥିଲେ। ଶେଷରେ ପୁରୁଷ ଯୁଗଳରେ ମଧ୍ୟ ସ୍ବର୍ଣ୍ଣ ପଦକ ହାତଛଡ଼ା କରିନଥିଲେ।
ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଫାଇନାଲ୍ରେ ନିଜ ଦେଶର ସୁକାନ୍ତ କଦମ ଓ ନିତେଶ କୁମାରଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ ପରାସ୍ତ କରି ସ୍ବର୍ଣ୍ଣ ଅମଳରେ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଯାହା ସାରା ଦେଶ ତଥା ଆମ ରାଜ୍ଯ ପାଇଁ ଗର୍ବର ବିଷୟ।