ମୃତ୍ୟୁ ସହ ଲଢ଼ୁଛି ଦୁର୍ଦ୍ଦାନ୍ତ ମସୁଦ, ସାନ ଭାଇ ବୁଝୁଛି ଆତଙ୍କୀ ସଂସ୍ଥା

ଇସ୍‌ଲାମାବାଦ: ଦୁର୍ଦ୍ଦାନ୍ତ ଆତଙ୍କୀ ମସୁଦ ଅଜହରକୁ କିଡ୍‌ନୀ ବେମାରୀ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହର କିଡ୍‌ନୀ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ମିଳିଛି। ରିପୋର୍ଟ ମୁତାବକ, ଇମ୍ରାନ୍‌ ସରକାର ମସୁଦକୁ ଜେଲରୁ ମୁକ୍ତ କରିଦେଇଛନ୍ତି। ତେବେ ମସୁଦ ଏବେ ଗମ୍ଭୀର ଭାବେ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ନେଇ ଜଣାଯାଇଛି।

ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିବାରୁ ମସୁଦ ଏବେ ନିଜ କ୍ୱାର୍ଟରରେ ବିଶ୍ରାମ ନେଉଛି। ବେମାରୀ ଯୋଗୁ ସେ ଆତଙ୍କୀ ସଂଗଠନ ପାଇଁ ସମୟ ଦେଇପାରୁନି। ତେଣୁ ତା ସାନ ଭାଇ ଏବେ ସଂଗଠନର ସମସ୍ତ ଦାୟିତ୍ୱ ମୁଣ୍ଡାଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ପାକିସ୍ତାନର ବହାବଳପୁରରେ ଏବେ ବି ଜୈଶର ଦୁଇଟି ପ୍ରମୁଖ ଆଡ୍ଡା ରହିଛି। ମରକଜ ଉସ୍‌ମାନ୍‌-ଓ-ଅଲ୍ଲୀ ଏବଂ ମରକଜ ସୁଭାନ୍‌ ଅଲ୍ଲାହ ନାମକ ଦୁଇଟି ଆଡ୍ଡାରେ ସମସ୍ତ ଅପରେସନ୍‌କୁ ରଫୁଜ ସମ୍ଭାଳୁଛି।

ଏହାସହ ପଢ଼ନ୍ତୁ: ଟ୍ରାଫିକ୍‌ ପୁଲିସ ସହ ବାକ୍‌ବିତଣ୍ଡା, ହୃଦ୍‌ଘାତରେ ଚାଳକ ମୃତ

ତେବେ ମସୁଦର କ୍ୱାର୍ଟର୍ସର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଆଟାକ ପରେ ମାସୁଦକୁ କଡ଼ା ସୁରକ୍ଷାବଳୟରେ ରଖାଯାଉଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଭାରତ ସମେତ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ କାନାଡ଼ାରେ ଜୈଶ-ଏ-ମହମ୍ମଦ ଆତଙ୍କୀ ଗତିବିଧି ଚଳାଇଛି।