‘କାଚା ବାଦାମ’ ଫେମ୍‌ ଭୁବନ ବାଦାୟକରଙ୍କ କାର ଦୁର୍ଘଟଣାଗସ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

‘କାଚା ବାଦାମ’ ଗୀତ ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଭୁବନ ବାଦାୟକର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଛାତିରେ ଆଘାତ ଲାଗିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ଗୁରୁତର ଅଛି।

ରିପୋର୍ଟ ମୁତାବକ, ‘କାଚା ବାଦାମ’ ଫେମ୍‌ ଭୁବନ ବାଦାୟକର ନିକଟରେ ଏକ ସେକେଣ୍ଡ ହ୍ୟାଣ୍ଡ୍‌ କାର୍‌ କିଣିଥିଲେ ଓ ସେ ତାହାକୁ ଚଲାଇବା ଶିଖୁଥିଲେ। କାର୍‌ ଶିଖିବା ବେଳେ ହିଁ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଛି। କୁହାଯାଉଛି ଯେ ଭୁବନ ବାଦାୟକରଙ୍କୁ ପଶ୍ଚିମବଙ୍ଗର ବୀରଭୂମ ସ୍ଥିତ ସରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।


ସୂଚନାଯୋଗ୍ୟ ଯେ ଭୁବନ ବାଦାୟକର ବାଦାମ ବିକ୍ରି କରିବା ବେଳେ କାଚା ବାଦାମ ଗୀତ ଗାଉଥିଲେ। ତାଙ୍କ ଗାଇବା ବେଳର ଭିଡିଓକୁ କେହି ଜଣେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଦେଖୁ ଦେଖୁ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ତାଙ୍କ ଗୀତ ଏତେ ଲୋକପ୍ରିୟ ହୋଇଗଲା ଯେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ରିଲ୍ସ ବନାଇବା ଆରମ୍ଭ କରିଥିଲେ। ପରେ ଏହି ଗୀତର ରିମିକ୍ସ ତିଆରି ହୋଇଥିଲା। ଇତି ମଧ୍ୟରେ ଏହାକୁ ୫୦ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି।

Also Read: ୟୁକ୍ରେନ୍‌କୁ ସାହାଯ୍ୟ କରିବ ଭାରତ, ଯୁଦ୍ଧ ମଧ୍ୟରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି