Below header

ବନ୍ୟାରେ ଉବୁଟୁବୁ କେରଳ : ୩୫୦ ଟପିଲାଣି ମୃତ୍ୟୁ ସଂଖ୍ୟା

ହେଲକପ୍ଟର ଓ ଡଙ୍ଗା ସାହାଯ୍ୟରେ ଚାଲିଛି ଉଦ୍ଧାର କାମ : ୩ ହଜାରରୁ ଅଧିକ ରିଲିଫ କ୍ୟାମ୍ପରେ ବିପନ୍ନ

କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୫୦ ଟପିଲାଣି । ପ୍ରଳୟଙ୍କରୀ ବନ୍ୟାରେ ବୁଡି ଯାଇଛି ସଂପୂର୍ଣ୍ଣ କେରଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ ସହର, ରାସ୍ତା, ପୋଲ ସବୁକିଛି ବୁଡ଼ି ଯାଇଛି । ଘର ବୁଡି ଯାଇଥିବାରୁ ହଜାର ହଜାର ଲୋକ ଛାତ ଉପରେ ବସିଛନ୍ତି । ହେଲିକେପ୍ଟର ଓ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଉଛି । ଆକାଶମାର୍ଗରୁ ରିଲିଫ୍ ବଣ୍ଟନ କରାଯାଉଛି । ଉଦ୍ଧାର କାର୍ୟ୍ୟରେ ସେନା ଓ ଏନଡିଆରଏଫ୍କୁ ସ୍ଥାନୀୟ ଲୋକ ସହାୟତା କରୁଥିବା ଦେଖିବାକୁ ମିଳିଛି । କେଉଁଠି କେତେ ଲୋକ ଫସି ରହିଛନ୍ତି ତାର ସଠିକ ହିସାବ କାହା ପାଖରେ ନାହିଁ । ଅନେକ ସ୍ଥାନକୁ ଉଦ୍ଧାରକାରୀ ଦଳ ପହଞ୍ଚି ପାରୁନାହାନ୍ତି ।

ଆହୁରି ପଢ଼ନ୍ତୁ :କେରଳର ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ବର୍ତ୍ତମାନ ସୁଦ୍ଧା କେବଳ ଏର୍ଣ୍ଣାକୁଲମ ଜିଲ୍ଲାରୁ ୫୪ ହଜାର ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି । କାଲାଡିର ଶଙ୍କରାଚାର୍ୟ୍ୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ୬୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ମାଛଧରା ବୋଟ୍ ଉଦ୍ଧାର କାର୍ୟ୍ୟରେ ଲାଗିଥିବା ବେଳେ ବେସରକାରୀ ବୋଟ୍କୁ ଏଥିରେ ନିୟୋଜିତ କରାଯାଇଛି । ୩ ହଜାରରୁ ଅଧିକ ରିଲିଫ କ୍ୟାମ୍ପରେ ୩ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି । ଆହୁରି ହଜାର ହଜାର ଲୋକ ଉଦ୍ଧାର ଅପେକ୍ଷାରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ :କେରଳ ବନ୍ୟାରେ ଜୀବେଦୟାର ଦୃଷ୍ଟାନ୍ତ : କୁକୁରଙ୍କ ବିନା ଘର ଛାଡ଼ିଲେ ନାହିଁ ମହିଳା

ଏହି ବନ୍ୟାରେ ଛାରଖାର ହୋଇଯାଇଛି କେରଳ । ହଜାର ହଜାର ସଂଖ୍ୟାରେ ଘର ଭାଙ୍ଗି ଯାଇଛି । ୪୦ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଛି । ୧୩୪ଟି ବ୍ରିଜ୍ ଧୋଇ ଯାଇଥିବାବେଳେ ପାଖାପାଖି ୧ ଲକ୍ଷ କିଲୋମିଟର ରାସ୍ତା ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ୨୧ ହଜାର କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଇଛି । ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ବନ୍ୟା ସାଙ୍ଗକୁ ଭୂସ୍ଖଳନ, ସମସ୍ୟାକୁ ଆହୁରି ବଢାଇ ଦେଇଛି । ସେପଟେ ଆସନ୍ତାକାଲି ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୧ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ୧୧ଟି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଫଳରେ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଓଡ଼ିଶା :

କେରଳରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛି ଓଡ଼ିଶା । ରାଜ୍ୟ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ ୭୫ଟି ପାଓ୍ଵାର ବୋଟ୍ ସହ କେରଳରେ ପହଞ୍ଚିଛି । ଏହି ଟିମରେ ଅଛନ୍ତି ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । ବାୟୁସେନାର ସ୍ୱତନ୍ତ୍ର କାର୍ଗୋ ଫ୍ଲାଇଟ୍ରେ ଟିମ୍ ସମସ୍ତ ସରଞ୍ଜାମ ଧରି କେରଳ ପହଞ୍ଚିଛନ୍ତି । ଓଡ଼ିଶାରୁ ଏକ ଟିମ୍ ପଠାଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ । ଅନ୍ୟପଟେ ଶତାଧିକ ଓଡ଼ିଆ ଶ୍ରମିକ କୋଚି ଓ ତ୍ରିଭେନ୍ଦ୍ରମ୍ରେ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର ପାଇଁ ଖୋର୍ଦ୍ଧା ଶ୍ରମ କମିଶନରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କେରଳ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.