Below header

ନେପାଳରେ ବଡ଼ଧରଣର ଭୂକମ୍ପ, ଗଲାଣି ୬ ଜୀବନ: ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଭୂ-କମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଥରି ଉଠିଛି। ରିଚଟର ସ୍କେଲରେ ଭୂ-କମ୍ପର ମାତ୍ରା ଥିଲା ୬.୩। ପ୍ରାୟ ରାତି ୧ଘଣ୍ଟା ୫୭ ମିନିଟରେ ଭୂ-କମ୍ପ ଦେଖାଦେଇଥିଲା। ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା ବୋଲି ରାଷ୍ଟ୍ରୀୟ ଭୂ-କମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯାହାର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।

ଏହା ପରେ ରାତି ୩.୧୫ ରେ ପୁଣି ଏକ ଭୂକମ୍ପ ରେକର୍ଡ କରାଯାଇଥିଲା, ଯାହାର ତୀବ୍ରତା ୩.୬ ଥିଲା। ନେପାଳ ପୋଲିସର ସୂଚନାନୁସାରେ, ରାତି ୨ ଟାରେ ଭୂକମ୍ପ ଯୋଗୁଁ ଦୋଟି ଜିଲ୍ଲାରେ ଏକ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳର ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ସୁଦୂର-ପଶ୍ଚିମ ଅଞ୍ଚଳରେ ତିନୋଟି ଭୂକମ୍ପ ରେକର୍ଡ କରାଯାଇଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ନେପାଳ ସେନା ପଠାଯାଇଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ନେପାଳରେ ଗତ ଦୁଇଦିନ ଭିତରେ ଏହା ଥିଲା ତୃତୀୟ ଭୂ-କମ୍ପ। ମଙ୍ଗଳବାର ସକାଳେ ନେପାଳର ବିଭିନ୍ନ ସ୍ଥାନରେ ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ୧୫୫ କିମି ଦୂର ଉତ୍ତରପୂର୍ବ ଅଞ୍ଚଳରେ ରହିଥିଲା। ସେହିପରି ଭୂପୃଷ୍ଠରୁ ଏହା ୧୦୦ କିମି ଗଭୀରରେ ସୃଷ୍ଟି ହୋଇଥିଲା।

ବୁଧବାର ରାତିରେ ଲୋକମାନେ ଶୋଇଥିବା ବେଳେ ୬.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରାତି ଗୋଟାଏ ୫୭ ମିନିଟରେ ମଣିପୁର, ଦିଲ୍ଲୀ ଏନସିଆର, ଗାଜିଆବାଦ, ନୋଏଡା, ଗୁରୁଗ୍ରାମ, ଲକ୍ଷ୍ନୌର କିଛି ସ୍ଥାନରେ ବି ଅନୁଭୂତ ହୋଇଥିଲା କମ୍ପନ । କିଛି ଲୋକ ଝଟକା ପରେ ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ। ସେହିପରି ଅଧିକାଂଶ ଲୋକ ନିଘୋଡ଼ ନିଦରେ ଶୋଇଥିବାରୁ ଭୂକମ୍ପ ଝଟକାକୁ ଅନୁଭବ କରିପାରି ନାହାନ୍ତି। ଦୋତି ଜିଲ୍ଲାରେ ଲୋକମାନେ ଶୋଇଥିବା ବେଳେ ଘର ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଯାଞ୍ଚ କରାଯାଉଥିବାରୁ ଏସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରିନାହିଁ। ପୂର୍ବରୁ ୨୦୧୫ରେ କେନ୍ଦ୍ରୀୟ ନେପାଳରେ ପ୍ରଳୟଙ୍କରୀ ଭୂମିକମ୍ପ ହୋଇଥିଲା । ଯେଉଁଥିରେ ଯାଇଥିଲା ୮ହଜାର ୯୬୪ ଜଣଙ୍କର ଜୀବନ । ପାଖାପାଖି ୨୨ହଜାର ଲୋକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.