ସିବିଆଇ ବନାମ ପଶ୍ଚିମବଙ୍ଗ ପୋଲିସ ଲଢ଼େଇ : ଆଜି ସିବିଆଇ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା : ପଶ୍ଚିମବଙ୍ଗରେ ସିବିଆଇ ଝାମ୍ପ ମାରିବା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚରାପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଜଷ୍ଟିସ ରଞ୍ଜନ ଗୁପ୍ତା ଓ ଜଷ୍ଟିସ ସଞ୍ଜୀବ ଖନ୍ନା ଏହି ବେଞ୍ଚର ସଦସ୍ୟ ଅଛନ୍ତି । ଚିଟଫଣ୍ଡ ତଦନ୍ତ ପ୍ରସଙ୍ଗ ନେଇ ଗତକାଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସିବିଆଇ । ଅଦାଲତ ଅବମାନନା ନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ପୋଲିସ କମିଶନରଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ଅଭିଯୋଗ ହୋଇଛି, କୋଲକାତା ପୋଲିସ କମିଶନର ରାଜୀବ କୁମାର ତଦନ୍ତରେ ସାହାଯ୍ୟ କରୁ ନାହାନ୍ତି । ସିବିଆଇ କହିଛି, ଚିଟଫଣ୍ଡ ସ୍କାମରେ ବହୁ ପ୍ରମାଣ ନଷ୍ଟ କରିଛନ୍ତି ରାଜୀବ । ଗତ ଦୁଇ ବର୍ଷ ହେବ ସେ ତଦନ୍ତରେ ସହଯୋଗ କରୁ ନାହାନ୍ତି । ବାରମ୍ବାର ସମନ କରାଯାଉଥିଲେ ବି କୌଣସି ଉତ୍ତର ଦେଉ ନାହାନ୍ତି ରାଜୀବ କୁମାର । ସେପଟେ କୋର୍ଟ ସିବିଆଇକୁ କହିଛନ୍ତି, ପ୍ରମାଣ ଦେଖାଅ । ଆଜି ସିବିଆଇ ରାଜୀବ କୁମାରଙ୍କ ବିରୋଧରେ ଥିବା ପ୍ରମାଣ କୋର୍ଟଙ୍କୁ ଦେଇ ପାରନ୍ତି । ବିବାଦୀୟ ପରିସ୍ଥିତିରେ ସୁପ୍ରିମକୋର୍ଟ କଣ ରାୟ ଶୁଣାଉଛନ୍ତି ତା ଉପରେ ସାରା ଦେଶର ନଜର ରହିଛି ।

mamata

କେନ୍ଦ୍ର ବିରୋଧରେ ସତ୍ୟାଗ୍ରହ ଜାରି ରଖିଛନ୍ତି ମମତା

ପଶ୍ଚିମବଙ୍ଗରେ ସିବିଆଇ ଝାମ୍ପ ମାରିବା ପରେ କେନ୍ଦ୍ର ବିରୋଧରେ ସତ୍ୟାଗ୍ରହ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଧାରଣାସ୍ଥଳରେ ସରକାରୀ କାମଧାମ ବି କରୁଛନ୍ତି । ଦିଦି କହିଛନ୍ତି, ଜୀବନ ଦେଇ ଦେବେ କିନ୍ତୁ ପଛକୁ ହଟିବେ ନାହିଁ । ସେପଟେ ଗତ ୨୪ ଘଣ୍ଟା ଭିତରେ ଦେଶ ରାଜନୀତିରେ ବଡ଼ ଧରଣର ହଲଚଲ ହୋଇଛି । କଂଗ୍ରେସ ସମେତ ବିଜେପି ବିରୋଧୀ ଦଳଗୁଡ଼ିକ ମମତାଙ୍କ ପ୍ରତି ସମର୍ଥନର ହାତ ବଢ଼ାଇଛନ୍ତି । ଗତକାଲି କୋଲକାତାରେ ପହଞ୍ଚି ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଡିଏମ୍କେ ସାଂସଦ କାନିମୋଈ ଓ ଆରଜେଡି ନେତା ତେଜସ୍ୱୀ ଯାଦବ । ସେପଟେ ମମତାଙ୍କ ମୋଦି-ଶାହା ବିରୋଧୀ ଅଭିଯାନ ପରେ ଦିଲ୍ଲୀରେ ବିରୋଧୀ ଶକ୍ତି ଗୁଡ଼ିକ ବୈଠକ କରି ଆଲୋଚନା କରିଛନ୍ତି ।

Leave A Reply

Your email address will not be published.