ଖୁବ୍ ଶୀଘ୍ର ବିଦାୟ ନେବ ମୌସୁମୀ

ନୂଆଦିଲ୍ଲୀ : ଗତ ଜୁନରୁ ସେପଟେମ୍ବର ପର୍ଯ୍ୟନ୍ତ ସକ୍ରିୟ ରହିବା ପରେ ବିଦାୟ ନେବ ମୌସୁମୀ । ପୂରା ଦେଶରେ ସ୍ବାଭାବିକ ମୌସୁମୀ ବର୍ଷା ହୋଇଛି । ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ବିଦାୟ ବେଳା ଆରମ୍ଭ ହେବ । ଗତ କିଛି ବର୍ଷ ଭଳି ଏହା ଅକଟୋବର ମାସ ପର୍ଯ୍ୟନ୍ତ ଲମ୍ବି ପାରେ । ଲଗାତର ୩ୟ ବର୍ଷ ପାଇଁ ଶେଷ ଭାଗରେ ମୌସୁମୀ ଅଧିକ ବର୍ଷିଛି । ଏହା ଯୋଗୁଁ କେରଳ, ଗୁଜରାଟ ଓ ଆସାମ ଭଳି ରାଜ୍ୟରେ ବନ୍ୟା ତାର ଭୟଙ୍କର ରୂପ ଦେଖାଇଛି । ତେବେ ଅନ୍ୟ ସବୁ ରାଜ୍ୟରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି । ସେହିପରି ଭଲ ବର୍ଷା ହୋଇଥିବାରୁ ବିଭିନ୍ନ ଜଳାଶୟ ଓ ନଦୀରେ ପାଣି ଭରି ରହିଛି । ଚଳିତ ବର୍ଷ ବର୍ତ୍ତମାନ ପର୍ଯନ୍ତ ଦେଶରେ ହାରାହାରି ୬୫୫ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ଦେଶରେ ସ୍ବାଭାବିକ ବୃଷ୍ଟିପାତର ପରିମାଣ ହେଉଛି ୭୦୦ ମିଲିମିଟର । ଗତ ଏପ୍ରିଲରେ ପାଣିପାଗ ବିଭାଗ କରିଥିବା ପୂର୍ବାନୁମାନ ସତ ହୋଇଛି ବୋଲି ବିଭାଗୀୟ ମହା ନିର୍ଦ୍ଦେଶକ କେ.ଜେ ରମେଶ କହିଛନ୍ତି । ଭଲ ବର୍ଷା ହୋଇଥିବାରୁ ଫସଲ ମଧ୍ୟ ଖୁବ୍ ଭଲ ହେବ ବୋଲି କେନ୍ଦ୍ରୀୟ କୃଷି କମିଶନର ସୁରେଶ କୁମାର ମାଲହୋତ୍ରା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.