Below header

ଇମ୍ରାନଙ୍କ ଗୁଗଲୀରେ ବିରୋଧୀ କ୍ଲିନ ବୋଲ୍‌ଡ: ମାତ୍ର ପାଞ୍ଚମିନିଟରେ ପଲଟିଲା ପାକିସ୍ତାନ ସଂସଦର ହାଇଡ୍ରାମା

କେନ୍ୟୁଜ୍(ବ୍ୟୁରୋ):  ଇମ୍ରାନଙ୍କ ଗୁଗଲୀରେ ବିରୋଧୀ କ୍ଲିନ ବୋଲ୍‌ଡ। ମାତ୍ର ପାଞ୍ଚମିନିଟରେ ପଲଟିଲା ପାକିସ୍ତାନ ସଂସଦର ହାଇଡ୍ରାମା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ। ନ୍ୟାସନାଲ ଆସେମ୍ଲିରେ ଉପବାଚସ୍ପତି କାସିମ ଖାନ ସୁରୀ ସମ୍ବିଧାନ ଅନୁଚ୍ଛେଦ ୫ ଅନୁଯାୟୀ ଅନାସ୍ଥା ପ୍ରସ୍ତାବକୁ ଅଗଣତାନ୍ତ୍ରିକ ଦର୍ଶାଇ ଖାରଜ କରିଦେଇଥିଲେ।

imran khan

ପରେ ସଂସଦ ଭଙ୍ଗ ପାଇଁ ରାଷ୍ଟ୍ରପତି ଆରିଫ ଅଲଭିଙ୍କୁ ସୁପାରିଶ କରିଥିଲେ ଇମ୍ରାନ। ଅଲ୍‌ଭି ଏହାକୁ ମଞ୍ଜୁର କରି ୯୦ ଦିନ ମଧ୍ୟରେ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଦେଶବାସୀଙ୍କୁ ସମ୍ବୋଧନ କରି ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଉପରେ ଜୋର ଦେଇଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। ଇମ୍ରାନ ସରକାର ଗଣତନ୍ତ୍ରର ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି ପାକିସ୍ତାନ ପିପୁଲ୍‌ସ ପାର୍ଟି। ଅନାସ୍ଥା ପ୍ରସ୍ତାବ ସତ୍ତ୍ୱେ ଭୋଟ ପାଇଁ ଅନୁମତି ନଦେବା ଗଣତନ୍ତ୍ରର ଉଲ୍ଲଙ୍ଘନ ବୋଲି ବିଲାୱଲ ଭୁଟ୍ଟୋ କହିଛନ୍ତି।

imran_khan

ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ବସିଥିଲା ନାସନାଲ ଆସେମ୍ଲିର ସ୍ୱତନ୍ତ୍ର ଅଧିବେଶନ। ବିଦେଶୀ ସରକାରଙ୍କ ଦ୍ୱାରା ସରକାର ଭାଙ୍ଗିବା ପାଇଁ ଏହାକୁ ଷଡ୍‌ଯନ୍ତ୍ର ବୋଲି କହିଥିଲେ ପାକିସ୍ତାନ ମନ୍ତ୍ରୀ ଫୱାଦ ହୁସେନ। ସେପଟେ ଅନାସ୍ଥା ପ୍ରସ୍ତାବ ଖାରଜ ପରେ ସଂସଦରେ ବସି ରହିଥିଲେ ବିରୋଧୀ ଦଳ। ନିଜେ ନିଜେ ଅନାସ୍ଥା ପ୍ରସ୍ତାବ ଉପରେ କରିଥିଲେ ଆଲୋଚନା।…

ସେପଟେ ପୁରା ଘଟଣା ଉପରୁ କିନ୍ତୁ ନିଜକୁ ଦୂରେଇ ରଖିଛି ପାକିସ୍ତାନ ସେନା। ରାଜନୀତିରେ ଯାହା କିଛି ଘଟିଛି ସେଥିରେ ସେନାର କିଛି ଭୂମିକା ନଥିବା କହିଛି ସେନା। ପାକିସ୍ତାନ ସଂସଦ ଭଙ୍ଗ ହେବା ପରେ ସ୍ୱତଃପୂର୍ତ୍ତ ଭାବେ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ବିରୋଧୀ କରିଥିବା ଆବେଦନର ସମୀକ୍ଷା କରିଛନ୍ତି ସୁପ୍ରିମ କୋର୍ଟ ପ୍ରଧାନବିଚାରପତି।

imran khan-0

 ଅନାସ୍ଥା ପ୍ରସ୍ତାବ ଆସିବା ପୂର୍ବରୁ ଇସଲାମାବାଦ ପୋଲିସ ଛାଉଣୀରେ ପରିଣତ ହୋଇଥିଲା। ସୁରକ୍ଷା ଏଜେନ୍‌ସୀ ଆଲର୍ଟ କରିବା ପରେ ପ୍ରାୟ ୬ହଜାରରୁ ଅଧିକ ପୋଲିସ ସଂସଦକୁ ଘେରି ରହିଥିଲେ। ସେପଟେ ସଂସଦ ଭଙ୍ଗ ପରେ ରାଜରାସ୍ତାରେ ଇମ୍ରାନ ଖାନଙ୍କ ସପକ୍ଷରେ ନାରାବାଜୀ ହୋଇଛି। ଇମ୍ରାନ ହିଁ କେବଳ ପାକିସ୍ତାନକୁ ରକ୍ଷା କରିପାରିବେ ବୋଲି ସ୍ଲୋଗାନ ଦେଇଛନ୍ତି ସାଧାରଣ ନାଗରିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.