Below header

ଦଲାଲ ଓ ଠକଙ୍କ ଅର୍ଥ ଉପାର୍ଜନର ଉତ୍ତମ ମଧ୍ୟମ ସାଜିଛି ନକଲି ସାମ୍ବାଦିକତା: ଯୁବକ ଯୁବତୀଙ୍କୁ ଚାକରି ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକୁଥିବା ୫ ଠକ ଗିରଫ

କୋରାପୁଟ(କେନ୍ୟୁଜ୍): ପୁଣି ସାମ୍ବାଦିକତା ବୃତ୍ତିରେ ଲାଗିଲା କଳଙ୍କ । ଜାତୀୟ କଂପାନୀ ଦାମନଯୋଡି ନାଲକୋ ଓ ସୁନାବେଡା ହାଲରେ ବିଭିନ୍ନ ପଦବୀରେ କାମ କରାଇ ଦେବା ପାଇଁ ଯୁବକ ଯୁବତୀଙ୍କୁ ଲୁଟୁ ଥିଲେ ମୋଟା ଅଙ୍କର ଅର୍ଥ । ଆକର୍ଷଣୀୟ ମାସିକ ଦରମା ମିଳିବାର ଲୋଭନୀୟ ଅଫର ଜରିଆରେ ମୋଟା ଅଙ୍କର ଅର୍ଥ ନେଉଥିଲେ । ଏଥିନେଇ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । ବେକାରୀ ଯୁବକ ଫସିବା ପରେ ପ୍ରସ୍ତୁତ ହେଉଥିଲା ଜାତୀୟ କଂପାନୀର କର୍ମଚାରୀ ନାମରେ ନକଲି ପରିଚୟ ପତ୍ର। ଆଉ କଂପ୍ଯୁଟର ଜରିଆରେ ପ୍ରସ୍ତୁତ ହେଉଥିବା ନକଲି ପରିଚୟ ପତ୍ର ଦେଖାଇ ଅକ୍ଳେଶରେ  କମ୍ପାନୀ ଭିତରକୁ ମିଳୁଥିଲା ପ୍ରବେଶ ।

ଏମିତି ଏକ ଠକ ରାକେଟକୁ ଠାବ କରିଛି କୋରାପୁଟ ପୋଲିସ । ଏକ ପାଞ୍ଚ ଜଣିଆ ଠକ ଦଳ କୋରାପୁଟ ଜିଲ୍ଲାରେ ବିଛାଇ ଥିଲେ ଜାଲ । ଏଇ ପାଞ୍ଚ ଜଣିଆ ଦଳର ଦୁଇ ଜଣ ରାୟଗଡାର ହୋଇଥିବା ବେଳେ ଅବଶିଷ୍ଟ ତିନି ଜଣ ଭୁବନେଶ୍‌ରର ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି । ୱେବ ସାମ୍ବାଦିକତା ନାମରେ ପୁଣି ଏକ ଜାଲିଆତି ଲୋକ ଲୋଚନକୁ ଆସିବା ପରେ ବାସ୍ତବ ସମ୍ବାଦିକତାର ସ୍ବାଭାବିକ ନେଇ ସୃଷ୍ଟି ହୋଇଛି  ବିରାଟ ପ୍ରଶ୍ନବାଚୀ । ଅପରପକ୍ଷେ ନକଲି ପାସ ଜରିଆରେ କଂପାନୀ ଭିତରକୁ  ପ୍ରବେଶ କରାଇବା ଉଦ୍ୟମ  କମ୍ପାନୀ ଗୁଡିକର ସୁରକ୍ଷାକୁ ନେଇ ମଧ୍ୟ ଉଠିଛି ଅନେକ ପ୍ରଶ୍ନ ।

ଅପରପକ୍ଷେ ଏଇ ଠକ ଦଳ ଆଉ କେଉଁ କେଉଁ କାର୍ଯ୍ଯରେ ସମ୍ପୃକ୍ତ ସେଥିନେଇ  ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । କେତେ ପରିମାଣର ଅର୍ଥ ଲୁଟିଛନ୍ତି ସେଥିନେଇ ପୋଲିସ ଖୋଲତାଡ଼ ଆରମ୍ଭ କରିଛି ।ରାୟଗଡ ସହରର ସୁଧିର  କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ ଜାଲ ସଂସ୍ଥା କରି  ନିଯୁକ୍ତି ଦେବା ନାମରେ  ପୋଷ୍ଟର ବ୍ଯାନେର ଛାପି  ଶିକ୍ଷିତ ଯୁବକଙ୍କୁ ଠକୁଛନ୍ତି । ଗୋଟାଏ ପିଲାଙ୍କ ପିଛା ୪୦ ହଜାର ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ସହ ଦାମନଜୋଡି ନାଲକୋ ଓ ହାଲ ସୁନାବେଡାରେ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେଇଛନ୍ତି । କେବଳ ନିଯୁକ୍ତି ପତ୍ର ଦେଇ ନାହାନ୍ତି  କାରଖାନା ମଧ୍ୟକୁ  ପ୍ରବେଶ କରିବାକୁ ନକଲି ଗେଟ ପାସ୍ ମଧ୍ୟ ଦେଇଛନ୍ତି । ଏଭଳି କୋରାପୁଟ ଜିଲ୍ଲାର ୭୦ ଜଣ ପିଲାଙ୍କ ଠାରୁ  ୪୦ ହଜାର ଟଙ୍କା ଲେଖାଁଏ ନେଇ  ଜାଲ ନିଯୁକ୍ତି ପତ୍ର ଦେଇଛନ୍ତି ।

ଦାମନଜୋଡି ନାଲକୋ କାରଖାନାରେ ନିଯୁକ୍ତି ପତ୍ର ଓ ଗେଟ ପାସ୍ ମିଳିବାପରେ ଦାମନଜୋଡି କାରଖାନାକୁ କାମ କରିବାକୁ ତିନି ଜଣ ଯୁବକ ଯାଉଥୁବାବେଳେ ମୁଖ୍ଯ ପ୍ରବେଶ ଫାଟକରେ ସୁରକ୍ଷା କର୍ମୀ  ପାସ୍ ଗୁଡିକ ଯାଞ୍ଚ କରିଥିଲେ । ଗେଟ ପାସ୍ ନକଲି ହୋଇଥିବା ଜାଣି ପୋଲିସକୁ ସୁଚନା ଦେଇଥିଲେ । ଅଭିଯୋଗ ମିଳିବାପରେ ସୁନାବେଡା ଏସଡିପିଓ ମନୋଜ ବେହେରାଙ୍କ ତତ୍ବବଧାନରେ ଦାମନଜୋଡି,ସୁନାବେଡା ସମେତ  ତିନୋଟି ଥାନାର ଅଧିକାରୀଙ୍କୁ ନେଇ  ଟିମ ଗଠନ କରାଯାଇ ତଦନ୍ତ କରିଥିଲେ । ତଦନ୍ତ କରିବା ପରେ ସେମିଳିଗୁଡାର ଏକ ସମ୍ବ୍ରାନ୍ତ ହୋଟେଲରୁ ଭୁବନେଶ୍ବରର  ୩ଜଣକୁ ଗିରଫ କରିଥିଲା ପୋଲିସ ।

ଏହା ସହ ତାଙ୍କ ନିକଟରୁ ୫୫ଟି ଗେଟ ପାସ୍, ନାଲକୋ,ହାଲ,ଜିନ୍ଦଲ,ଏଚସିଏଲ ଭଳି ଦେଶର ନାମୀ କମ୍ପାନୀ ଗୁଡିକ ନାମରେ ୧୭ ଟି ଷ୍ଟାମ୍ପ ,କଲର ପ୍ରିଣ୍ଟର  ,ଲ୍ୟାପଟପ୍ , ଡେସ୍କଟପ ,କମ୍ପୁଟର ହାର୍ଡ ଡିସ୍କ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି । ତା ସହ ଭଡାରେ ଆଣି ସେମାନେ ବ୍ଯବହାର କରୁଥୁବା ଇନୋଭା କାରକୁ ମଧ୍ୟ ଜବତ କରି  ତଦନ୍ତ କରୁଛି ପୋଲିସ। ଗିରଫଙ୍କ ମଧ୍ୟରେ  ଭୁବନେଶ୍ବର  ଗ୍ରୀନ ହାଇ ଆପାର୍ଟମେଣ୍ଟର ୩୧୨ ନଂର ୪୦୩ ପ୍ଲଟରେ ରହୁଥୁବା ସନ୍ତୋଷ କୁମାର ବରାଡ,ଭୁବନେଶ୍ଵର ଝାରପଡାର କମଳ ଲୋଚନ ମହାନ୍ତି,ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଅଭିମନ୍ଯୁ ମିଶ୍ରକୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.