ଅର୍ଥଅଭାବରୁ ନିଜ ପିଲାଙ୍କୁ ବ୍ରତ କରିପାରୁନଥିବା ଅଭିଭାବକଙ୍କ ପାଇଁ ଦେବଦୂତ ସାଜିଲେ ସୌର ବ୍ରାହ୍ମଣ ପରିଷଦ, ୫୪ ଜଣ ଗରିବ ବ୍ରାହ୍ମଣ ପିଲାଙ୍କ କରାଇଲେ ବ୍ରତୋପନୟନ

କଟକ(କେନ୍ୟୁଜ୍): କୋଭିଡ ମହାମାରୀ ଅନେକଙ୍କୁ ବାପ-ମା ଛେଁଣ୍ଡ କରିଛି । ଅନେକଙ୍କ ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭୁଶୁଡିଛି । ନିଜ ପିଲାଙ୍କୁ ବ୍ରତ କରିପାରୁ ନାହାନ୍ତି ଅନେକ ବ୍ରାହ୍ମଣ ପରିବାର । ଏଭଳି ସ୍ଥିତିରେ ବ୍ରାହ୍ମଣ ବାଳକଙ୍କ ବ୍ରତ ପାଇଁ ଆଗେଇ ଆସିଛି ସୌର ବ୍ରାହ୍ମଣ ପରିଷଦ । କଟକ ଖାନ୍‌ନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ଆୟୋଜିତ ହୋଇଛି ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ।

ବିଭିନ୍ନ ସ୍ଥାନରୁ ଆସିଥିଲେ ୫୪ ଜଣ ଗରିବ ବ୍ରାହ୍ମଣ ପିଲା । ସମସ୍ତଙ୍କୁ ଯୋଗାଇ ଦିଆଯାଇଥିଲା ନୂଆ ବସ୍ତ୍ର ସହ ଅନ୍ୟନ୍ୟ ଆବଶ୍ୟକୀୟ ସାମଗ୍ରୀ । ପୁରୋହିତଙ୍କ ମନ୍ତ୍ରଉଚ୍ଚାରଣ ସହ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା ସାମୂହିକ ବ୍ରତୋପନୟନ । ପିଲାଙ୍କୁ ବ୍ରତ କରିଥିବାରୁ ଅଭିଭାବକ ବେଶ ଖୁସ୍‌ ।

 ବ୍ରତ ପରେ ନବ ବ୍ରହ୍ମଚାରୀଙ୍କୁ ବୟଜଷ୍ଠମାନେ ଆର୍ଶୀବାଦ କରିଥିଲେ । ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ବ୍ରହ୍ମଚାରୀଙ୍କୁ ବୈଦିକ କର୍ମକାଣ୍ଡ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର, ସଂସ୍କୃତ, ବ୍ୟାକରଣ ଶିକ୍ଷା ଦେଇ ବ୍ରାହ୍ମଣ କୁଳର କୌଳିକ ବୃତ୍ତିକୁ କିଭଳି ଆଗକୁ ନେବେ ସେହି ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପରିଷଦ ବିଶ୍ୱଶାନ୍ତି ଗ୍ରହଯଜ୍ଞ, ବିଶ୍ୱମୈତ୍ରୀ ରଥଯାତ୍ରା ଭଳି କାର୍ଯ୍ୟକ୍ରମ କରୁଆସୁଛି । ସୌର ବ୍ରାହ୍ମଣ ପରିଷଦର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.