Below header

ସମ୍ଭଳ ହସ୍ପିଟାଲରୁ ଭାଇରାଲ ହୋଇଛି ଏକ ଛାତିଥରା ଭିଡିଓ, ଶବକୁ ଟାଣି ନେଉଛି ବୁଲା କୁକୁର

ଆଜିକାଲି ସମାଜରେ ମାନବିକତା ଯେମିତି ସମ୍ପୂର୍ଣ୍ଣ ରୂପରେ ଲୋପ ପାଇବାରେ ଲାଗିଛି। ବଞ୍ଚିଥିଲା ବେଳେ ମଣିଷକୁ ସମ୍ମାନ ଦେବା ତ ଦୂରର କଥା ମଲା ପରେ ବି ଦେଉନାହାନ୍ତି। ସାଧାରଣତଃ ମୃତ ଶରୀରକୁ ସମ୍ମାନ ଦିଆଯାଇଥାଏ । ହେଲେ ତାହା ବି ସମାଜରେ ଦେଖିବାକୁ ମିଳୁନି । ଏମିତ ଏକ ଅମାନବିୟ ଘଟଣା ଦେଖାଦେଇଛି ଉତ୍ତରପ୍ରଦେଶର ସମ୍ଭଳ ଅଞ୍ଚଳରେ। ଏଠାକାର ଏକ ସରକାରୀ ଚିକିତ୍ସାଳୟରୁ ଏମିତି ଏକ ଛାତିଥରା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ହସ୍ପିଟାଲର ଏକ ଷ୍ଟ୍ରେଚରରେ ଥିବା ଶବକୁ ଏକ ବୁଲା କୁକୁର କାମୁଡି କରି ଟାଣୁଥିବାର ନଜର ଆସୁଛି।

ସୂଚନାନୁଯାୟୀ, ଗୁରୁବାର ଦିନ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଝିଅକୁ ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ଝିଅର ମୃତ୍ୟୁ ଚିକିତ୍ସା ସମୟରେ ହୋଇଛି କି ହସ୍ପିଟାଲ ନେବା ରାସ୍ତାରେ ହୋଇଛି, ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ହେଲେ ଶବଟି ହସ୍‌ପିଟାଲର ଏକ ଷ୍ଟ୍ରେଚରରେ ପଡ଼ିରହିଛି । ଆଉ କୁକୁର ଏହାକୁ ଟାଣୁଛି ।

୨୦ ସେକେଣ୍ଡର ଏହି ଭିଡିଓରେ ହସ୍ପିଟାଲର ଅବହେଳା ସମ୍ପୂର୍ଣ୍ଣ ପଦାରେ ପଡ଼ିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଜୋର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ସମାଜବାଦୀ ପାର୍ଟି ହସ୍ପିଟାଲର ଅବହେଳା ଉପରେ ପ୍ରଶ୍ନ ଉଠାଇ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହା ସହିତ ମୃତ ଝିଅର ସମ୍ପର୍କୀୟ ହସ୍ପିଟାଲ ପ୍ରଶାସନର ଅବହେଳା ଯୋଗୁଁ ଏପରି ହୋଇଛି ବୋଲି ଆରୋପ ଲଗାଇଛନ୍ତି। ତେବେ ମୃତ ଝିଅର ପିତାଙ୍କ କହିବାନୁସାରେ, ଚିକିତ୍ସା ପାଇଁ ଝିଅକୁ ଆଣିବା ପରେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କେହି ମଧ୍ୟ ଚିକିତ୍ସା ଆରମ୍ଭ କରିନଥିଲେ।

ଅନ୍ୟପକ୍ଷରେ ଏହିଭଳି ବୁଲା କୁକୁରର ସମସ୍ୟାକୁ ନେଇ ହସ୍ପିଟାଲ ପ୍ରଶାସନ କହିଛନ୍ତି। ଏହି ସମସ୍ୟା ଯୋଗୁଁ ଅନେକ ଥର ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ ପତ୍ର ମଧ୍ୟ ହସ୍ପିଟାଲ ପକ୍ଷରୁ ଦିଆଯାଇଛି। ହେଲେ କୈାଣସି ସମାଧାନ ହୋଇନି । ଝିଅର ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ଦେବା ପରେ ସେମାନେ ଶବକୁ କିଛି ସମୟ ପାଇଁ ସେଠାରେ ଛାଡ଼ି ଚାଲିଯାଇଥିଲେ। ଶବଟି କିଛି ସମୟ ଏକା ପଡି ରହିଥିବା ସମୟରେ ଏହି ଘଟଣା ଘଟିଥିଲା ବୋଲି ହସ୍ପିଟାଲ ପକ୍ଷରୁ ସଫେଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.