Below header

ହସ୍ପିଟାଲ ପାଇଖାନା ପାଣିକୁ ୩୦ ବର୍ଷ ଧରି ପିଇ ଆସୁଥିଲେ ଲୋକେ, ଏମିତି ଖୁଲାସା ହେବା ପରେ କ୍ଷମା ମାଗିଲେ କର୍ତ୍ତୃପକ୍ଷ

ଜାପାନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏକ ରିପୋର୍ଟ ମୁତାବକ, ଜାପାନର ଏକ ହସ୍ପିଟାଲ ଶୌଚାଳୟ ପାଇଁ ଉପଲବ୍ଧ ପାଣିକୁ ପାଖାପାଖି ୩୦ ବର୍ଷ ଧରି ପାନୀୟ ଜଳ ରୂପେ ବ୍ୟବହାର କରିଛି। ଏହି ଘଟଣା ଗତ ମାସରେ ସାମ୍ନାକୁ ଆସିଥିଲା, ଯାହା ପରେ ଓସାକା ୟୁନିଭର୍ସିଟିର ଗବେଷକ ତଥା ହସ୍ପିଟାଲ ଭାଇସ୍‌ ପ୍ରେସିଡେଣ୍ଟ କାଜୁହିକୋ ନାକାତାନୀ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ କି, ‘ମୁଁ ବହୁତ ଦୁଃଖିତ ଯେ ଉନ୍ନତ ଚିକିତ୍ସା ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟର ହସ୍ପିଟାଲ ଯୋଗୁ ଏଭଳି ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି’। ସୂଚନାଥାଉ କି, ହସ୍ପିଟାଲ ଓସାକା ବିଶ୍ୱବିଦ୍ୟାଳୟରେ ରହିଛି। ଏହି ହସ୍ପିଟାଲ ଭବନ ମେଡସିନ୍‌ ଅଧ୍ୟାପକଙ୍କ ସହ ସଂଲଗ୍ନ ଅଛି।

ଆଶ୍ଚର୍ଯ୍ୟଜନକ କଥା, ଏହି ଶୌଚାଳୟ ପାଣି ଦୈନିକ ୧୨୦ ନଳକୁ ପହଞ୍ଚୁ ଥିଲା। ଏହାକୁ ପିଇବା, ହାତ ଧୋଇବା, ଏପରିକି, ଗାର୍ଗଲିଂ କରିବାରେ ମଧ୍ୟ ବ୍ୟବହାର କରାଯାଉଥିଲା। ୧୯୯୩ରେ ଯେବେ ହସ୍ପିଟାଲ ନିର୍ମାଣ ହୋଇଥିଲା, ସେହି ସମୟରେ ପାଇପ୍‌ ସଂଯୋଗରେ ତ୍ରୁଟି ହେତୁ ଏହି ସମସ୍ୟା ଉପୁଜିଥିଲା। ଜାପାନୀ ମିଡିଆ ରିପୋର୍ଟରେ କୁହାଯାଇଛି କି, ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ହସ୍ପିଟାଲ ପ୍ରଶାସନ ଏକ ନୂଆ ଓ୍ଵାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ପର୍ଯ୍ୟନ୍ତ କେହି ବି ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ନ ଥିଲେ କି ଏ ବିଷୟରେ କାହାକୁ ଖବର ସୁଦ୍ଧା ନ ଥିଲା। ନୂଆ ପ୍ଲାଣ୍ଟ ନିର୍ମାଣ ସମୟରେ କରାଯାଇଥିବା ନିରୀକ୍ଷଣରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ବର୍ତ୍ତମାନ ୟୁନିଭର୍ସିଟି ଏହି ମାମଲାର ତଦନ୍ତ କରୁଛି। ୟୁନିଭର୍ସିଟି କହିଛି ଯେ ପାଣିର ଗୁଣାବତ୍ତାକୁ ଲଗାତାର ଯାଞ୍ଚ କରାଯାଉଛି। ଏ ପର୍ଯ୍ୟନ୍ତ କୌଣସି ବିପଜ୍ଜନକ ପଦାର୍ଥ ଚିହ୍ନଟ ହୋଇପାରି ନାହିଁ। ପ୍ରତି ସପ୍ତାହରେ ରଙ୍ଗ, ସ୍ୱାଦ ଏବଂ ଗନ୍ଧକୁ ନେଇ ପାଣିର ଯାଞ୍ଚ ରେକର୍ଡ ୨୦୧୪ରୁ ଉପଲବ୍ଧ ଅଛି। ରିପୋର୍ଟ କହିଛି କି, ପରିସରରେ ୧୦୦ରୁ ଅଧିକ ଅନ୍ୟ ଅଟ୍ଟାଳିକା ରହିଛି। ଏଗୁଡ଼ିକ ସାଧାରଣ ତରିକାରେ ଖୋଳା ଯାଇଥିବା କୂଅର ପାଣି ବ୍ୟବହାର କରୁଛନ୍ତି। ହସ୍ପିଟାଲ ଅଧିକାରୀମାନେ କହିଛନ୍ତି ଯେ ସେମାନେ ପାଇପିଙ୍ଗ୍‌ର ଯାଞ୍ଚ କରିବେ ଏବଂ ତ୍ରୁଟି ଥିଲେ ତାହାକୁ ଠିକ୍‌ କରାଇବେ। ତେବେ ଜାପାନରେ ଏମିତି ଏକ ଅବହେଳାର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜାପାନ ଭଳି ବିକଶିତ ଦେଶରେ ଏମିତି ଭୁଲ୍‌ ସାଧାରଣତଃ ଦେଖିବାକୁ ମିଳି ନ ଥାଏ। କହି ରଖୁଛୁ, ଖରାପ ପାଣି ଯୋଗୁ ବର୍ତ୍ତମାନ ଅନେକ ପ୍ରକାର ରୋଗ ହେବାର ଆଶଙ୍କା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.