Below header

ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା, ଜଜ୍‌ ନେଲେ ଏଭଳି ନିଷ୍ପତ୍ତି

ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ଜଣାପଡ଼ିଲା ଅଭିଯୁକ୍ତକୁ କରୋନା। ଏଭଳି ସ୍ଥିତିରେ ଅଭିଯୁକ୍ତକୁ ଫାଶୀ ଦିଆଯିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଜଜ୍‌। ଏଭଳି ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ସିଙ୍ଗାପୁରରେ। ଏଠାରେ ନିଶା ଜାତୀୟ ଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତକୁ ନିକଟରେ ଫାଶୀ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଫାଶୀ ପାଇବା ପୂର୍ବରୁ ସେ ଆଉ ଥରେ କ୍ଷମା ଯାଚନା କରିଥିଲା। ଏ ଅବସରରେ ଶୁଣାଣି ବେଳେ ଜଣାପଡ଼ିଥିଲା ଯେ ଅଭିଯୁକ୍ତକୁ କରୋନା। ଏହି ଅଭିଯୁକ୍ତ ଭାରତର ମୂଳ ନିବାସୀ ଓ ତା’ ନାଁ ଧର୍ମଲିଙ୍ଗମ୍‌ ବୋଲି ଜଣାପଡ଼ିଛି। ଏହି ମାମଲା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ରିପୋର୍ଟ ମୁତାବକ, ଧର୍ମଲିଙ୍ଗମ୍‌ଙ୍କୁ ମାଦକ ପଦାର୍ଥର ତସ୍କରୀ ଅପରାଧରେ ବୁଧବାର ଦିନ ଫାଶୀ ଖୁଣ୍ଟରେ ଝୁଲାଯିବାର ଥିଲା। କିନ୍ତୁ ମୃତ୍ୟୁ ଦଣ୍ଡରୁ ମୁକ୍ତି ପାଇଁ ସେ ଶେଷ ଥର ଅପିଲ କରିଥିଲେ। ଏହି ମାମଲାର ଶୁଣାଣି କୋର୍ଟରେ ଚାଲିଥିବା ବେଳେ ଜଣାପଡ଼ିଥିଲା ଯେ ଧର୍ମଲିଙ୍ଗମ୍‌ଙ୍କୁ କରୋନା। ଶୁଣାଣି ବେଳେ ହିଁ ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ଏକ ଭିନ୍ନ ତଥା ଅପ୍ରତ୍ୟାଶିତ ମାମଲା ହୋଇଥିବାରୁ ଧର୍ମଲିଙ୍ଗମ୍‌ଙ୍କ ଫାଶୀ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ଶୁଣାଣି ବେଳେ ଜଷ୍ଟିସ୍‌ ଏଣ୍ଡ୍ରୁ ଫାଙ୍ଗ, ଜଷ୍ଟିସ୍‌ ଜୁଦିଥ ପ୍ରକାଶ ଓ ଜଷ୍ଟିସ୍‌ କନ୍ନନ ରମେଶ ଉପସ୍ଥିତ ଥିଲେ।

ଜଷ୍ଟିସ୍‌ ମାନେ କହିଛନ୍ତି, କୋର୍ଟ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ମୃତ୍ୟୁଦଣ୍ଡକୁ କାଏମ୍‌ ରଖିବା ଅନୁଚିତ ହେବ। ଯଦି ଅଭିଯୁକ୍ତ କରୋନା ସଂକ୍ରମିତ ତେବେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇପାରିବ ନାହିଁ। ଏଣୁ ସେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି। ତେବେ ଏହି ମାମଲାରେ ଆଗାମୀ ଶୁଣାଣି କେବେ ହେବ ସେ ନେଇ କୌଣସି ସୂଚନା ମିଳିନାହିଁ। ଜଷ୍ଟିସ୍‌ କହିଛନ୍ତି, ଯେ ପର୍ଯ୍ୟନ୍ତ ଏହି ଶୁଣାଣି ଚାଲିଥିବା ସେବେ ଯାଏଁ ଅଭିଯୁକ୍ତକୁ ଫାଶୀ ଦିଆଯାଇପାରିବ ନାହିଁ।

ତେବେ ରିପୋର୍ଟରେ କୁହାଯାଇଛି ଯେ ଧର୍ମଲିଙ୍ଗମ୍‌ କେବେ କରୋନା ସଂକ୍ରମିତ ହେଲେ ସେ ନେଇ ଏହି ଦଲିଲରେ କିଛି ସୂଚନା ଦିଆଯାଇନାହିଁ। ଅନ୍ୟପଟେ ଧର୍ମଲିଙ୍ଗମ୍‌ଙ୍କ ଫାଶୀ ଦଣ୍ଡକୁ ଘୁଞ୍ଚାଇବା ପାଇଁ ଏବେ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି। କେତେକ ମାନବାଧିକାର କମିଶନ ଧର୍ମଲିଙ୍ଗମ୍‌ଙ୍କ ସପୋର୍ଟରେ କହିଛନ୍ତି ଯେ ସେ ବାଧ୍ୟବାଧକତାରେ ଏହି ନିଶା କାରବାରରେ ସଂଶ୍ଲିଷ୍ଟ ଥିଲେ। ଏଣୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆନଯାଉ। ଏହି ପରିପ୍ରେକ୍ଷୀରେ ଏକ ହସ୍ତାକ୍ଷର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପାଖାପାଖି ୭୦ ହଜାର ଲୋକ ଅଂଶଗ୍ରହଣ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.