Below header

ସୁଯୋଗ ହାତଛଡ଼ା କଲେନି ୫୦୦ ଲୋକ, ୧ ଟଙ୍କାରେ କିଣିନେଲେ ଏକ ଲିଟର ପେଟ୍ରୋଲ! ଭିଡ଼ ନିୟନ୍ତ୍ରଣ କଲା ପୋଲିସ

ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ବିରୋଧ କରି ମହାରାଷ୍ଟ୍ରର ସୋଲାପୁରରେ ଗୁରୁବାର ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି ହୋଇଛି। ବାସ୍ତବରେ, ଡ. ବି.ଆର୍‌ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଏକ ସଙ୍ଗଠନ ୫୦୦ ଲୋକଙ୍କୁ ୧ ଟଙ୍କାରେ ପ୍ରତି ଲିଟର ପେଟ୍ରୋଲ ବିକ୍ରି କରିଥିଲା। ପ୍ରତ୍ୟେକ ଲୋକଙ୍କୁ କେବଳ ଗୋଟିଏ ଲିଟର ହିଁ ପେଟ୍ରୋଲ ଦିଆଯାଇଥିଲା। ଏହି ସମୟରେ ପେଟ୍ରୋଲ ପମ୍ପ୍‌ରେ ଲୋକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବି ସେଠାରେ ମୁତୟନ ଥିଲା।

କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଡ. ଆମ୍ବେଦକର ଷ୍ଟୁଡେଣ୍ଟସ୍‌ ଆଣ୍ଡ ୟୁଥ୍‌ ପାନ୍ଥର୍ସ। ସଙ୍ଗଠନର ଜଣେ ନେତା କହିଥିଲେ ଯେ ‘ମୋଦି ସରକାରରେ ପେଟ୍ରୋଲ ଦାମ୍‌ ୧୨୦ ଟଙ୍କା ପ୍ରତି ଲିଟର ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ଏଥିପାଇଁ ଲୋକଙ୍କୁ ଆଶ୍ୱସ୍ତି ଦେବା ତଥା ଆମ୍ବେଦକରଙ୍କ ଜୟନ୍ତୀ ପାଳନ ନିମନ୍ତେ ଆମେ ୫୦୦ ଲୋକଙ୍କୁ ୧ ଟଙ୍କାରେ ପେଟ୍ରୋଲ ଦେବାକୁ ନିଷ୍ପତ୍ତି ନେଇଥିଲୁ’।

ସଙ୍ଗଠନ ତରଫରୁ ଆହୁରି କୁହାଯାଇଥିଲା କି, ଯଦି ଆମ ଭଳି ଛୋଟ ସଙ୍ଗଠନ ୫୦୦ ଲୋକଙ୍କୁ ଆଶ୍ୱସ୍ତି ଦେଇପାରେ, ତ ସରକାରଙ୍କୁ ମଧ୍ୟ ଏଭଳି କରିବା ଉଚିତ। ସେପଟେ ୧ ଟଙ୍କା ଦରରେ ପେଟ୍ରୋଲ କିଣିଥିବା ଜଣେ ଗ୍ରାହକ କହିଥିଲେ, ‘ପେଟ୍ରୋଲ ଦାମ୍‌ ପ୍ରତିଦିନ ଆକାଶଛୁଅାଁ ହେଉଛି। ଏମିତିରେ ମହଙ୍ଗା ମାଡ଼ ଭିତରେ ସାମାନ୍ୟ ପଇସା ବଞ୍ଚାଇ ମୁଁ ଖୁସି ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.