‘ଓ୍ଵିଲ୍ ୟୁ ମ୍ୟାରି ମି’ ବ୍ୟାନର ଲେଖି ମଝି ଆକାଶରେ ପ୍ରେମ ନିବେଦନ କରୁଥିଲେ ବ୍ୟକ୍ତି, ହେଲେ ନିଆଁ ପିଣ୍ଡୁଳା ହୋଇ ଖସିପଡିଲା ବିମାନ

ପ୍ରେମ ନିବେଦନ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ଆଉ ଯଦି ପ୍ରେମ କରି ବିବାହ ଯାଏଁ କଥା ପହଞ୍ଚେ, ତେବେ ପ୍ରପୋଜ କରିବାର ଅନ୍ଦାଜ ବଦଳିଯାଏ। ଏମିତିରେ ଲୋକେ ଭିନ୍ନ ଭିନ୍ନ ଶୈଳୀରେ ବିବାହର ପ୍ରସ୍ତାବ ଦେଇଥାନ୍ତି। ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ସର୍ବଦା କିଛି ଅଭିନବ ଏବଂ ନୂଆ କିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ହେଲେ ଏମିତି କରିବା କାନାଡାର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ପ୍ରେମିକାକୁ ବିବାହର ପ୍ରସ୍ତାବ ଲେଖା ହୋଇଥିବା ଏକ ବ୍ୟାନର ଧରି ବିମାନ ଉଡୁଥିଲା। ହେଲେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବ୍ୟାନେରରେ ‘ଓ୍ଵିଲ୍ ୟୁ ମ୍ୟାରି ମି’ ଲେଖା ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣା କାନାଡାର ମାଣ୍ଟ୍ରିଏଲ ସହରରେ ଘଟିଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, କାନାଡା ପରିବହନ ସୁରକ୍ଷା ବୋର୍ଡ କହିଛି ଯେ, ଏହି ବିମାନ ଏକ ବ୍ୟାନର ଧରି ଉଡୁଥିଲା। ବିମାନ ମଝି ଆକାଶରେ ଥିବା ବେଳେ ଇଞ୍ଜିନ ଅଚଳ ହୋଇ ପଡିଥିଲା। ବିମାନଟି ତଳକୁ ଖସି ନିଆଁ ପିଣ୍ଡୁଳା ପାଲଟି ଯାଇଛି।

ପାଇଲଟ୍ ଜଣକ ଏକ ବିଜ୍ଞାପନ ଏଜେନ୍ସିର ମାଲିକ ହୋଇଥିବା ଜଣା ପଡିଛି। ଦୁର୍ଘଟଣାର କାରଣ ଜଣାପଡିନାହିଁ। ଏହାର ଯାଞ୍ଚ ପାଇଁ ତଦନ୍ତକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.