ରାମ ମନ୍ଦିର ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାମ ମନ୍ଦିର ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଲୋକସଭାରେ ଏ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଟ୍ରଷ୍ଟ ଗଠନ ହେବ । ୬୭ ଦଶମିକ ୦୩ ଏକର ଜମି ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ । ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ୫ଏକର ଜମି ପ୍ରଦାନ କରାଯିବ। ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ନିଷ୍ପତ୍ତି ନେବ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଦୀର୍ଘ ଦିନର ଆଇନଗତ ସଂଘର୍ଷ ଦେଇ ଗତି କରିଥିବା ଏହି ମାମଲା ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରୀକ୍ଷିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାମ ଜନ୍ମଭୂମି ମାମଲାର ରାୟ ପ୍ରକାଶ ପାଇବା ପରେ ଭାରତବାସୀ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ପଦ୍ଧତିରେ ଉଲ୍ଲେଖନୀୟ ବିଶ୍ୱାସ ପ୍ରଦର୍ଶନ କରିଥିଲେ । ମୁଁ ୧୩୦ କୋଟି ଭାରତବାସୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଧର୍ମର ଲୋକ ଏକ । ପରିବାରର ସଦସ୍ୟ ସୁଖ ସମୃଦ୍ଧି ପାଆନ୍ତୁ ଓ ଦେଶର ବିକାଶ ହେଉ । ସେଥିପାଇଁ ସବକା ସାଥ୍‌ ସବକା ବିକାଶ ମନ୍ତ୍ରରେ ଆଗକୁ ବଢ଼ୁଛୁ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଲୋକ ଏକ ସ୍ୱରରେ ନିଜର ମତ ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.